କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ଅଘଟଣ । ଆଜି ପୁଣି ଆରମ୍ଭ ହେବ ସର୍ଚ୍ଚ ଅପରେସନ୍ । ଗତକାଲି ଅନ୍ଧାର ହୋଇଯିବାର ଅଟକି ଯାଇଥିଲା ଉଦ୍ଧାର କାର୍ଯ୍ୟ । ଗତକାଲି ଅପରାହ୍ଣରେ ୪ ଜଣ ନାବାଳକ ଦୟାନଦୀକୁ ଗାଧୋଇବାକୁ ଆସିଥିଲେ । ହେଲେ ହଠାତ ନଦୀ ଭିତରକୁ ପଶି ଯାଇଥିଲେ ଜଣେ ନାବାଳକ । ପରେ କୂଳକୁ ଆସିି ନପାରି ଚାହୁଁ ଚାହୁଁ ନିଖୋଜ ହୋଇ ଯାଇଥିଲେ । ନିଖୋଜ ନାବାଳକ ଜଣଙ୍କ ଇନ୍ଦିରା କଲୋନୀର ସୁମିତେନ୍ଦ୍ର ସାହୁ । ସୁମିତେନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ରାତିରେ ଜୋରଦାର ଉଦ୍ୟମ ଚଳାଇଥିଲେ ଅଗ୍ନିଶମ ବାହିନୀର ସ୍କୁବା ଡାଇଭର । ଦୀର୍ଘ ସମୟ ଧରି ଅପରେସନ୍ ଚାଲିଥିବା ବେଳେ ଅନ୍ଧାର ବାଧକ ସାଜିଥିଲା । ରାତି ଯୋଗୁଁ ଅଧାରେ ଉଦ୍ଧାର କାର୍ଯ୍ୟ ଅଟକିଥିଲା ।

Advertisment

ସୂଚନାନୁସାରେ ସୁମିତ ଗୁରୁବାର ସଂଧ୍ୟା ୫ଟା ବେଳେ ନିକଟସ୍ଥ କଲୋନିର ଅନ୍ୟ ୩ ସାଙ୍ଗଙ୍କ ସହିତ ଦୟାନଦୀକୁ ଗାଧୋଇବାକୁ ଯାଇଥିଲେ । ସେମାନେ ଲିଙ୍ଗିପୁରସ୍ଥିତ ଦେବୀଘାଟରେ ଗାଧୋଉଥିଲେ । ୩ ସାଙ୍ଗ ଉପରେ ଥିବା ବେଳେ ସୁମିତ ପ୍ରଥମେ ପାଣିକୁ ପଶି ଯାଇଥିଲେ । ପାଣିରେ ପଶି ସେ ଭାସିଯିବାର ଅଭିନୟ କରିଥିଲେ । ପାଣିରେ ହାତଗୋଡ଼ ଛାଟି ବଞ୍ଚାଅ ବଞ୍ଚାଅ ବୋଲି ପାଟି କରିଥିଲେ । ତେଣୁ ବିକଳ ହୋଇ ତିନି ସାଙ୍ଗ ପାଣିକୁ ଡେଇଁ ତାଙ୍କୁ ଟାଣି ଆଣିଥିଲେ । କିନ୍ତୁ ଉପରକୁ ଆସିବା ପରେ ସୁମିତ ମଜାରେ ଏମିତି କରୁଥିଲେ ବୋଲି କହି ସାଙ୍ଗମାନଙ୍କ ସହ ଖେଳିଥିଲେ । ଏହାପରେ ପୁଣି ସମସ୍ତେ ଏକାଠି ପାଣିରେ ପଶିଥିଲେ। ସୁମିତ୍ ଗଭୀର ପାଣିକୁ ଚାଲିଯାଇଥିଲେ ଏବଂ ପହଁରିଥିଲେ । କିନ୍ତୁ ହଠାତ୍ ସେ ପୁଣି ଭାସିଯାଇଥିଲେ । ତିନି ସାଙ୍ଗ ପ୍ରଥମେ କିଛି ବୁଝିନପାରି ଅପେକ୍ଷା କରିଥିଲେ । କିନ୍ତୁ ସତକୁ ସତ ମାତ୍ର କେଇ ମିନିଟ୍‌ରେ ସୁମିତ୍‌ ନିଖୋଜ ହୋଇଯାଇଥିଲେ ।