ଆନ୍ଧ୍ରପ୍ରଦେଶରେ ବାଙ୍କୀ ନାବାଳିକାକୁ ଅଟକ ରଖିଛି ଦଲାଲ : ଝିଅକୁ ଫେରାଇବା ପାଇଁ ଦାବି କରୁଛି ୫୦ହଜାର ଟଙ୍କା; ପୋଲିସର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ସାଙ୍ଗରେ ଯାଇଥିବା ସାଥୀ ଖସିଆସିବା ପରେ ସାମ୍ନା ଆସିଛି ଦଲାଲର ଦାଦାଗିରି

217

କନକ ବ୍ୟୁରୋ : ସେହିଦିନୁ ଗାଁକୁ ଫେରିନି ଝିଅ । ଆମେ ଏଠି କୌଣସି  ଯାତ୍ରାର ଡାଏଲଗ କହୁନାହୁଁ କି କେଉଁ କାଳ୍ପନିକ ଧାରାବାହିକର ସଂଳାପ ମଧ୍ୟ କହୁନାହୁଁ  । ଏହେଉଛି ଏକ ନିଛକ ସତ୍ୟ ଘଟଣା । ଦଲାଲ ଦ୍ୱାରା ଜଣେ ନାବାଳିକା ନିର୍ଯ୍ୟାତିତାର କାହାଣୀ । ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁର ଜଣେ ୧୪ ବର୍ଷର ନାବାଳିକା କିଭଳି ଦଲାଲ ହାବୁଡରେ ପଡି ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଛି । ଆଉ ଝିଅକୁ ଘରକୁ ଛାଡିବା ପାଇଁ ଦଲାଲ ଜଣକ କେମିତି ୫୦ ହଜାର ଦାବି କରୁଛି । ଏସବୁ ଅଭିଯୋଗ ନେଇ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ପରିବାର ଲୋକେ । ଆଉ ସେଠାରୁ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା ମାଆ ।

ନାବାଳିକା ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ପରିବାର ଆର୍ଥିକ ଅନଟନ ଯୋଗୁଁ ପାଠ ଛାଡି ଦୁଇମାସ ତଳେ ଜଣେ ଦଲାଲ ଜରିଆରେ ଗାଁର ଅନ୍ୟ କିଛି ଝିଅଙ୍କ ସହ ମିଶି କାମ କରିବାକୁ ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ । ସେଠାରେ ଏକ ଚିଙ୍ଗୁଡି ଫ୍ୟାକଟ୍ରିରେ କାମ ଯୋଗାଇ ଦେବାକୁ କହି ନେଇଥିଲା ଦଲାଲ । ହେଲେ ସେଠାରେ କାମ ଯୋଗାଇ ଦେବା ବଦଳରେ ନାବାଳିକାଙ୍କୁ ନିର୍ଯାତନା ଦେବାରୁ କିଛି ନାବାଳିକା ଲୁଚି ପଳାଇ ଆସିଛନ୍ତି । ଆଉ ଏମାନେ ଆସିବା ପରେ ସାମ୍ନାକୁ ଆସିଛି ଦଲାଲର ଦାଦାଗିରି । ୧୪ ବର୍ଷର ନାବାଳିକା ଆନ୍ଧ୍ରପ୍ରଦେଶରେ ଦଲାଲ କବ୍ଜାରେ ରହିଥିବା ବେଳେ ଝିଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ତାଙ୍କ ପରିବାର ଲୋକ ଦଲାଲକୁ ଯୋଗାଯୋଗ କରିଛନ୍ତି । ହେଲେ ଦଲାଲ ଜଣଙ୍କ ଝିଅକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦାବି କରୁଛି । ଏନେଇ ପରିବାର ଲୋକ ବାଙ୍କିର ସୁବର୍ଣ୍ଣପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି ।