୧୫ବର୍ଷରୁ ଅଧିକ ଗାଡି ଚଢୁଥିଲେ ହୋଇଯାଆନ୍ତୁ ସାବଧାନ, ଏପ୍ରିଲ ପହିଲାରୁ ପଞ୍ଜିକରଣ ରଦ୍ଦ କରିବାକୁ ଆସିଲା ନିର୍ଦ୍ଦେଶ

762

କନକ ବ୍ୟୁରୋ : କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ମୋଟର ଗାଡି ଆଇନର ସଂଶୋଧନ କରି ନୋଟିଫିକେସନ ଜାରି କରାଯାଇଛି । ଏହି କ୍ରମରେ ୧୫ବର୍ଷରୁ ଅଧିକ ହୋଇଥିବା ସମସ୍ତ ପୁରୁଣା ଗାଡିର ପଞ୍ଜିକରଣ ରଦ୍ଦ କରିବାକୁ କୁହାଯାଇଛି । ଏହାସହ ୧୫ବର୍ଷରୁ ଅଧିକ ବୟସର ଗାଡି ଉପରେ ରିନ୍ୟୁ ହୋଇଥିବା ପଞ୍ଜିକରଣକୁ ବି ରଦ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସବୁ ଗାଡିକୁ ଏବେ ସ୍କ୍ରାପ ସେଣ୍ଟରରେ ନଷ୍ଟ କରିବାକୁ ପଡିବ ବୋଲି କୁହାଯାଇଛି ।

କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ଏହି ନିୟମ ଏପ୍ରିଲ ପହିଲାରୁ ଲାଗୁ କରାଯିବ । କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ନଗର ନିଗମ, ରାଜ୍ୟ ପରିବହନ, ସରକାରୀ ସ୍ୱାୟତ ସଂସ୍ଥା ପାଖରେ ଥିବା ୧୫ବର୍ଷର ପୁରୁଣା ଗାଡିକୁ ମଧ୍ୟ ସ୍କ୍ରାପ କରାଯିବ । ହେଲେ ଏହି ନିୟମ ପରିସରକୁ ଆସିବ ନାହିଁ ସେନାର ଗାଡି ।

ଏହା ପୂର୍ବରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଗାଡି ନିୟମ ୧୯୮୯ର ଚାପ୍ଟର ୩ର ପରିବର୍ତନ କରିଥିଲେ । ଏହା ମାଧ୍ୟମରେ ପୁରୁଣା କାରକୁ ମାର୍କେଟ ରେଗୁଲେସନ ଇକୋସିଷ୍ଟମକୁ ସଦୃଢ କରିବାକୁ ପରାମର୍ଶ ଦିଆଯାଇଥିଲା ।

ସେପଟେ ନିୟମର ପରିବର୍ତନ ସହ ପୁରୁଣା ଗାଡି କିଣା ବିକ୍ରି କରୁଥିବା ଡିଲରମାନଙ୍କୁ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ । ଫଳରେ ଗ୍ରାହକମାନେ ଯେଭଳି ଠକାମୀରେ ଶିକାର ନହୁଅନ୍ତି ତା ପ୍ରତି ଧ୍ୟାନ ଦିଆଯିବ । ଡିଲର ଓ ଗାଡିମାଲିକଙ୍କ ମଧ୍ୟରେ ସ୍ୱଚ୍ଛତା ରହିବ ।