ତୁରନ୍ତ ବଢାନ୍ତୁ କୋଭିଡ୍ ଟେଷ୍ଟିଂ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

71

କନକ ବ୍ୟୁରୋ: କରୋନା ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଲେ କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ପତ୍ର ଜାରି କରି ହଟସ୍ପଟ ଅଞ୍ଚଳରେ ସଠିକ୍ ରଣନୀତି ଅବଲମ୍ବନ କରି ଟେଷ୍ଟିଂ ବଢାଇବାକୁ ନିର୍ଦ୍ଦେଶ ଦେଇଛି ।

ଗତ କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ଦେଶରୁ ୨.୩୮ ଲକ୍ଷ ପଜିଟିଭ୍ କେସ୍ ଆସିଥିବାବେଳେ, ଗତକାଲି ତୁଳନାରେ ଏହି ୭.୮ ପ୍ରତିଶତ କମ୍ । ଅନ୍ୟପଟେ ରବିବାର ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ଥିବାବେଳେ, ସୋମବାର ଏହା ହ୍ରାସ ପାଇ ୧୩.୧୧ ପ୍ରତିଶତରେ ପହଞ୍ଚିଛି । ଖାଲି ସେତିକି ନୁହେଁ ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମଣ ମଧ୍ୟ ତଳକୁ ଖସିଛି । ହେଲେ ଦେଶରେ ସଂକ୍ରମଣ ହ୍ରାସ ପାଉଥିବାବେଳେ, ଟେଷ୍ଟିଂ ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି, ଯାହାକୁ ଦେଖିବା ପରେ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଟେଷ୍ଟିଂ କମ ହେବାର କାରଣ, ଆଇସିଏମଆରର ନୂଆ ଗାଇଡଲାଇନ ବୋଲି କୁହାଯାଉଛି । ନୂଆ ଗାଇଡଲାଇନରେ ଆଇସିଏମଆର କହିଛି ଯେ, ପଜିଟିଭ୍ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଟେଷ୍ଟିଂ କରିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଲୋକମାନେ ଜାଣିଶୁଣି କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ବି ଟେଷ୍ଟିଂ ନକରୁଥିବା ଅଭିଯୋଗ ହେଉଛି ।