ଭୁଲିଗଲେ ମୋଦି ମନ୍ତ୍ର ! ସୋସିଆଲ୍ ମିଡିଆରେ ଫେଲ୍ ମାରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅଧିକାଂଶ ମନ୍ତ୍ରୀ

36

ଫେସବୁକରେ ୧କୋଟି ଟପିଛି ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଫଲୋଅର୍ସ ସଂଖ୍ୟା । କିନ୍ତୁ ଅମିତଙ୍କୁ ଛାଡିଦେଲେ ସୋସିଆଲ୍ ମିଡିଆରେ ଫେଲ୍ ମାରିଛନ୍ତି ମୋଦିଙ୍କ ମନ୍ତ୍ରୀମଣ୍ଡଳଙ୍କ ଅଧିକାଂଶ ମନ୍ତ୍ରୀ । କେନ୍ଦ୍ରୀୟ କ୍ୟାବିନେଟରେ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ୭୨ଜଣ ମନ୍ତ୍ରୀ ଅଛନ୍ତି । ହେଲେ ପୁରା କ୍ୟାବିନେଟରେ ୪୦ ଜଣ ମନ୍ତ୍ରୀ ଏମିତି ଅଛନ୍ତି ଯେଉଁମାନେ ସୋସିଆଲ୍ ମିଡିଆରେ ସଂପୂର୍ଣ୍ଣ ଭାବରେ ଫେଲ୍ ହୋଇଛନ୍ତି । ଏପରିକି ଅନେକ ମନ୍ତ୍ରୀ ସୋସିଆଲ୍ ମିଡିଆରେ ଖାତା ହିଁ ଖୋଲିନାହାଁନ୍ତି ।

ଗତବର୍ଷ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୂତାବକ , ଉତ୍ତରପ୍ରଦେଶର ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୪୩ ଜଣ ବିଜେପି ସାସଂଦ ସୋସିଆଲ୍ ମିଡିଆରେ ସକ୍ରିୟ ନଥିଲେ । ସେହିପରି ରାଜସ୍ଥାନର ୨୫ରୁ ୧୦ଜଣଙ୍କର ଟୁଇଟରରେ ଆକାଉଂଟ୍ ହିଁ ନଥିଲା । ତେବେ ଏକଥା ଜାଣିବା ପରେ ମୋଦି ସମସ୍ତଙ୍କୁ ସୋସିଆଲ୍ ମିଡିଆରେ ସକ୍ରିୟ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ମୋଦି ମନ୍ତ୍ରର ୧୪ ମାସ ପରେ ବି କ୍ୟାବିନେଟରେ ଅନେକ ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ ଟୁଇଟର୍ ଆକାଉଂଟ୍ ଭେରିଫାଏ ହୋଇନି ।

ଗତବର୍ଷ ଏପ୍ରିଲ୍ ମାସରେ ଦଳର ୨୮୨ ଲୋକସଭା ସଦସ୍ୟ ଏବଂ କ୍ୟାବିନେଟର ସମସ୍ତ ମନ୍ତ୍ରୀ ମାନଙ୍କୁ ସୋସିଆଲ୍ ମିଡିଆରେ ଯୋଡି ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୋଦି । ମନ୍ତ୍ରୀ ଏବଂ ସାଂସଦ ମାନଙ୍କୁ ନିଜ ଗତିବିଧିର ସୂଚନା ଫଟୋ ସହ ସୋସିଆଲ୍ ମିଡିଆ ମାଧ୍ୟମରେ ଜନତାଙ୍କ ସହ ସେୟାର୍ କରିବାକୁ ସଫା ସଫା କହିଥିଲେ ମୋଦି । ଯଦି ମୋଦିଙ୍କ ଏହି କଥାକୁ ତର୍ଜମା କରାଯାଏ ତେବେ ୨୦୧୪ ନିର୍ବାଚନରେ ବିଜେପିର ବିଜୟ ପଛରେ ସବୁଠାରୁ ବଡ ହାତ ସୋସିଆଲ୍ ମିଡିଆରେ ଦଳର ସକ୍ରିୟତା ହିଁ ଥିଲା । କାରଣ ଜନତାଙ୍କ ସହ ଯୋଡି ହେବାରେ ସୋସିଆଲ୍ ମିଡିଆ ଯେ ବଡ ଭୂମିକା ନିଭାଇଥାଏ ଏହାକୁ ମନା କରିହେବ ନାହିିଁ  ।

ମୋଦି ମନ୍ତ୍ର ଭୁଲି ମଧ୍ୟ କଂଗ୍ରେସଠାରୁ ମଜଭୂତ ଅଛି ଦଳ :
ବିଜେପିର ମନ୍ତ୍ରୀ ତଥା ସାଂସଦ ଯଦିଓ ମୋଦି ମନ୍ତ୍ର ଭୁଲି ଯାଇଛନ୍ତି ତଥାପି କଂଗ୍ରେସର ନିଷ୍କିୟତା ଯୋଗୁଁ ସୋସିଆଲ୍ ମିଡିଆରେ ଦଳର ସ୍ଥିତି ଏବେବି ମଜଭୂତ ରହିଛି । ଯଦି ଦଳଗତ ଭାବରେ ଦେଖାଯାଏ ଫେସବୁକରେ କଂଗ୍ରେସର ଫଲୋଅର୍ସଙ୍କ ସଂଖ୍ୟା ୪୪,୯୬,୫୩୪ ଥିବା ବେଳେ ଟୁଇଟରରେ ଅଛନ୍ତି ୨୧ ଲକ୍ଷ । ହେଲେ କଂଗ୍ରେସଠାରୁ ଯଥେଷ୍ଟ ଆଗରେ ଅଛି ବିଜେପି । ବିଜେପିର ଫେସବୁକ୍ ଫଲୋଅର୍ସଙ୍କ ସଂଖ୍ୟା ୧,୩୩,୫୫,୭୧୯ ଥିବା ବେଳେ ଟୁଇଟରରେ ଅଛନ୍ତି ୫୭ଲକ୍ଷ ।

ତେବେ ଏହି ଅବସ୍ଥା ପାର୍ଟିର ବଡ ବଡ ନେତା ମାନଙ୍କର ମଧ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫେସବୁକରେ ୪,୨୬,୬୧,୭୪୪ ଲାଇକ୍ ମିଳିଥିବା ବେଳେ ଟୁଇଟର ଫଲୋଅର୍ସ ସଂଖ୍ୟା ହେଉଛି ୩କୋଟି ୨୨ଲକ୍ଷ । କିନ୍ତୁ ରାହୁଲ୍ ଗାନ୍ଧୀଙ୍କର ଟୁଇଟର୍ ଫଲୋଅର୍ସ ସଂଖ୍ୟା ମାତ୍ର ୨୬ ଲକ୍ଷ ଥିବା ବେଳେ ଫେସବୁକରେ ଲାଇକ୍ ମିଳିଛି ୧୩,୨୩,୬୧୭ । ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ରାହୁଲ୍ ଗାନ୍ଧିଙ୍କଠାରୁ ଆଗରେ ଅଛନ୍ତି ।

ରଣନୀତି ଆରମ୍ଭ କରିସାରିଲାଣି କଂଗ୍ରେସ୍ :
ଅଭିନୟରୁ ରାଜନୀତିକୁ ଆସିଥିବା ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ରାମ୍ୟାଙ୍କୁ ସୋସିଆଲ୍ ମିଡିଆର ଦାୟିତ୍ୱ ଦେଇଛନ୍ତି ରାହୁଲ୍ ଗାନ୍ଧି । ୨୦୧୨ରେ ପାର୍ଟିରେ ଯୋଗ ଦେଇଥିବା ରାମ୍ୟା ଦାୟିତ୍ୱ ସମ୍ଭାଳିବା ପରେ କଂଗ୍ରେସର ସୋସିଆଲ୍ ମିଡିଆରେ ସକ୍ରିୟତା ବୃଦ୍ଧି ପାଇଛି । ସେ ଦଳର ସମସ୍ତ ଗତିବିଧିର ସୂଚନା ଫଟୋ ସହ ଭିଡିଓ ଜରିଆରେ ଟୁଇଟରରେ ସେୟାର୍ କରୁଛନ୍ତିି ।

୨୦୧୯ରେ ଅଛି ଆଗାମୀ ନିର୍ବାଚନ । ଯେଉଁଥିରେ ସତ୍ତା ହାସଲ୍ କରିବା ପାଇଁ ଆଜିଠୁ ନୂଆ ନୂଆ ରଣନୀତି ପସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ଏହି ରଣନୀତି ଭିତରେ ଏକ ଅସ୍ତ୍ର ହେଉଛି ସୋସିଆଲ୍ ମିଡିଆ । କାରଣ ଜନତାଙ୍କ ସହ ଯୋଡି ହେବା ପାଇଁ ଏହା ଏକ ସହଜ ରାସ୍ତା ।