ଚ୍ୟାଲେଞ୍ଜ ଦେଇ ହାରିଗଲେ କେନ୍ଦ୍ରମନ୍ତ୍ରୀ ଗଡକରୀ, ଏବେ ଦେବାକୁ ପଡିବ ୧୫ ହଜାର କୋଟି ! ଜାଣନ୍ତୁ ପୁରା ଘଟଣା

1,314

କନକ ବ୍ୟୁରୋ: ଚ୍ୟାଲେଞ୍ଜ ହାରିଗଲେ କେନ୍ଦ୍ରମନ୍ତ୍ରୀ । ଏବେ ଦେବାକୁ ପଡିବ ୧୫ ହଜାର କୋଟି । ନିକଟରେ ଏକ ଉଦଘାଟନୀ ଉତ୍ସବରେ ଉଜ୍ଜୈନ ଗସ୍ତରେ ଆସିଥିବାବେଳେ ଏଠିକାର ସାଂସଦ ଅନିଲ ଫିରୋଜିଆଙ୍କୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ତାଙ୍କର ଏହି ଚ୍ୟାଲେଞ୍ଜକୁ ସାଂସଦ ସ୍ୱୀକାର କରିଥିଲେ ଆଉ ପ୍ରମାଣ ବି କରିଥିଲେ । ଏବେ ଗଡକରୀ ନିଜ କଥା ରଖୁଛନ୍ତି ନା ନାହିଁ ତା ଉପରେ ସମସ୍ତଙ୍କ ନଜର ।

ପ୍ରକୃତ କଥା ହେଉଛି ଅନିଲ ଫିରୋଜିଆ ହେଉଛନ୍ତି ଉଜ୍ଜୈନର ସାଂସଦ । ନିଜ ଅଞ୍ଚଳର ବିକାଶ ପାଇଁ ସେ ସବୁବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ମଧ୍ୟରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଉଜ୍ଜୈନ୍ ଆସିଥିଲେ । ଏହି ଅବସରରେ ସେ ଅନିଲ ଫିରୋଜିଆଙ୍କ ଲକ୍ଷ୍ୟ କରିଥିଲେ ଯେ, ସାଂସଦ ନିଜ ଓଜନ ଯେତେ କେଜି କମାଇବେ ତାଙ୍କ ଅଞ୍ଚଳର ବିକାଶ ପାଇଁ ସେ ସେତେ ହଜାର କୋଟି ଦେବେ । ଶୁଣନ୍ତୁ କ’ଣ କହିଛନ୍ତି ଗଡକରୀ
ଗଡକରୀଙ୍କର ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ ସାଂସଦ । କାରଣ ତାଙ୍କ ପାଇଁ ଗୋଟିଏ ଲକ୍ଷ୍ୟ ଥିଲା ନିଜ ଅଞ୍ଚଳର ବିକାଶ । ସେଥିପାଇଁ ସେ ଆରମ୍ଭ କରିଦେଲେ ଆପ୍ରାଣ ଚେଷ୍ଟା । ଆରମ୍ଭ କରିଦେଲେ ଯୋଗ ସହ ବ୍ୟାୟାମ । ନିୟମିତ ୫ କିଲୋମିଟର ଦୌଡିବା ସହ ବିଭିନ୍ନ ପ୍ରକାର ଷ୍ଟ୍ରେଚିଙ୍ଗ ଏକ୍ସରସାଇଜ୍ କରି ମାତ୍ର ୨ ମାସ ଭିତରେ ୧୫ କେଜି ଓଜନ କମାଇଛନ୍ତି ସାଂସଦ ଅନିଲ ଫିରୋଜିଆ । ତେଣୁ ନିଜ ଅଞ୍ଚଳର ହିତ ପାଇଁ ଏବେ କେନ୍ଦ୍ର ସରକାରଙ୍କ ଠାରୁ ୧୫ ହଜାର କୋଟି ଟଙ୍କା ପାଇବାକୁ ସେ ହକଦାର ବୋଲି କହିଛନ୍ତି ।

ଏବେ ଦେଖିବାକୁ ରହିଲା ଯେଉଁ ଯୋଶରେ ଗଡକରୀ ସାଂସଦଙ୍କୁ ଚ୍ୟାଲେଞ୍ଜ କରିଥିଲେ , ଏହି ଯୋଶରେ ନିଜ କଥା ରଖୁଛନ୍ତି ନା ନାହିଁ ।