ରବିବାର ବଦଳିବ କେନ୍ଦ୍ର କ୍ୟାବିନେଟର ରୂପରେଖ ! ଦିନ ୧୦ଟାରେ ଘୋଷଣା ହେବ ନୂଆ ମନ୍ତ୍ରୀମଣ୍ଡଳ, ରାଷ୍ଟ୍ରପତି ଭବନରେ ପ୍ରକ୍ରିୟା ଆରମ୍ଭ

17

କନକ ବ୍ୟୁରୋ : ରବିବାର ହେବ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅଦଳବଦଳ । ପୂର୍ବାହ୍ନ ୧୦ଟାରେ ଏନେଇ ବିଧିବଦ୍ଧ ଘୋଷଣା ହେବା ପରେ ନୂଆମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହା ହେଉଛି ମନ୍ତ୍ରୀମଣ୍ଡଳର ତୃତୀୟ ଅବଳବଦଳ ।

ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ପରେ ମନ୍ତ୍ରୀମଣ୍ଡଳର ରୁପରେଖ ନେଇ ଚୁଡାନ୍ତ ନିଷ୍ପତି ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଏହି ନୂଆମନ୍ତ୍ରୀ ମଣ୍ଡଳରେ ଦୁଇ ଜଣ ଜେଡିୟୁ ନେତା ଏବଂ ଦୁଇ ଜଣ ଏଆଇଏଡିଏମକେ ନେତାଙ୍କୁ ସାମିଲ କରାଯିବାର ସଂଭାବନା ରହିଛି । ଯଦି ଏଆଇଏଡିଏମକେ ମୋଦି ସରକାର ବା ଏନଡିଏ ସହ ମିଶେ ତେବେ ଏଆଇଏଡିଏମକେର ଧାମ୍ବି ଦୁରାଇ ଏବଂ କେ.ଭେଣୁଗୋପଳଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପୂର୍ବରୁ ୫ ଜଣ କେନ୍ଦ୍ରମନ୍ତ୍ରୀ ଇସ୍ତଫା ମଧ୍ୟ ଦେଇ ସାରିଛନ୍ତି । ସେହିପରି ଆଉ କିଛି ମନ୍ତ୍ରୀ ଇସ୍ତଫା ଦେବାର ସଂଭାବନା ରହିଛି । ୨୦୧୯ ନିର୍ବାଚନ ପୂର୍ବରୁ ହୁଏତ ଏହା ଶେଷ ଥର ପାଇଁ ମନ୍ତ୍ରୀମଣ୍ଡଳ ହେଉଥିବାରୁ, ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହାର ରୂପରେଖ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।