ଓଡିଶା ଖଣି ଦୁର୍ନୀତି ମାମଲା: ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ହେବ ୧୦୦ ପ୍ରତିଶତ ଫାଇନ୍ ଆଦାୟ । ହେବନି ସିବିଆଇ ତଦନ୍ତ । ୱେବ୍ ଏକ୍ସକ୍ଲୁସିଭ

ଓଡିଶା ଖଣି ଦୁର୍ନୀତି ମାମଲା: ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ହେବ ୧୦୦ ପ୍ରତିଶତ ଫାଇନ୍ ଆଦାୟ । ହେବନି ସିବିଆଇ ତଦନ୍ତ । ୱେବ୍ ଏକ୍ସକ୍ଲୁସିଭ

ଓଡିଶା ଖଣି ଦୁର୍ନୀତି ମାମଲାରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ । ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ୧୦୦ ପ୍ରତିଶତ ଫାଇନ୍ ଆଦାୟ କରିବାକୁ ନିଜ ରାୟରେ ସର୍ବୋଚ୍ଚ କୋର୍ଟ କହିଛନ୍ତି । ପରିବେଶ ମଂଜୁରୀ ବାହାରେ ହୋଇଥିବା ଖଣିଜ ଉତ୍ତୋଳନ କିମ୍ବା ପରିବେଶ ମଂଜୁରୀ ଥାଇ ନିର୍ଦ୍ଧାରିତ ପରିମାଣ ବାହାରେ ହୋଇଥିବା ଉତ୍ତୋଳନ ଉପରେ ଫାଇନ ଲାଗିଛି । ସୁପ୍ରିମକୋର୍ଟ କହିଛନ୍ତି, ମାଇନିଂ ଲିଜ୍ ଏରିଆ ଭିତରେ ପରିବେଶ ମଂଜୁରୀର ଉଲ୍ଲଂଘନ ଯଦି ହୋଇଛି ତାହା ସେକ୍ସନ ୨୧ (୫) ଅନୁସାରେ ବେଆଇନ । ୨୦୦୦ ମସିହା ପରଠାରୁ ଓଡିଶା ସରକାରଙ୍କୁ କ୍ଷତିପୁରଣ ମିଳିବ ବୋଲି ସୂଚନା ମିଳିଛି । ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ୍ୟ ଖଣି ଓ ଇସ୍ପାତ ସଚିବ ଆର. କେ. ଶର୍ମା । କହିଛନ୍ତି, ରାଜ୍ୟ ସରକାରଙ୍କ ଫାଇନ ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ୍ ରହିଛି ।

ଓଡିଶାର ଖଣି ଦୁର୍ନୀତି ନେଇ କମନ୍ କଜ୍ ସଂସ୍ଥା ପକ୍ଷରୁ ଦାଖଲ ହୋଇଥିଲା ପିଆଇଏଲ ଉପରେ ଶୁଣାଣି କରି ଏହି ରାୟ ପ୍ରକାଶ ପାଇଛି । ଯେଉଁଥିରେ କୋର୍ଟ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଓଡିଶା ଖଣି ଦୁର୍ନୀତି ନେଇ ସିବିଆଇ ତଦନ୍ତ ହେବାର ଆବଶ୍ୟକତା ନାହିଁ । ଯାହା ଏକ ଆଶ୍ୱସ୍ତିର ଖବର ଭାବେ ବିବେଚନା କରାଯାଉଛି । ତେବେ ଜିନ୍ଦଲ ଷ୍ଟିଲ, ଶାରଦା ମାଇନିଂ ଓ ଏସେଲ ତରଫରୁ ଖଣି ଖୋଲିବା ପାଇ ଦାଖଲ ହୋଇଥିବା ଆବେଦନ ଉପରେ ୨ ସପ୍ତାହ ପରେ ଶୁଣାଣି ହେବ । ରାଜ୍ୟ ସରକାରଙ୍କ ତରଫରୁ ଖଣି ଲିଜଧାରୀ ମାନଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍ର ଜବାବ ରଖିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ୩୧ ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ କୋର୍ଟ କହିଛନ୍ତି ।

ଏକ ଏକ୍ସପର୍ଟ କମିଟି ଗଠନ ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଗଠିତ ହେବାକୁ ଥିବା ଏହି କମିଟି ଅନୁଧ୍ୟାନ କରିବେ, ଓଡିଶାରେ କାହିଁକି ଏଭଳି ଦୁର୍ନୀତି ହେଲା, କେଉଁଠି ସବୁ ତ୍ରୁଟି ବିଚ୍ୟୁତି ରହିଗଲା? ଏହି କମିଟି ସୁପାରିଶ କରିବେ ଓଡିଶା ତଥା ଅନ୍ୟ ଖଣି ଖାଦାନ ଥିବା ରାଜ୍ୟରେ ଏଭଳି ବେଆଇନ ଖଣିଜ କାରବାର ରୋକିବାକୁ କଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ।

କେନ୍ଦ୍ର ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ୍ ୩୧ ଡିସେମ୍ବର ୨୦୧୭ ସୁଦ୍ଧା ନୂଆ ଜାତୀୟ ଖଣିଜ ନୀତି ପ୍ରଚଳନ କରାଇବାକୁ କୋର୍ଟ କହିଛନ୍ତି । ନିଜ ରାୟରେ କୋର୍ଟ ଦର୍ଶାଇଛନ୍ତି, ନ୍ୟାସନାଲ ମିନେରାଲ ପଲିସି-୨୦୦୮ରେ ପରିବର୍ତ୍ତନ ଆବଶ୍ୟକ, କାରଣ ଏହା ଗୋଟିଏ ଦଶନ୍ଧି ପୁରୁଣା । ୩୧ ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ସରିବ, ଯାହାକୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଦାରଖ କରିବେ । ତେବେ ରୁଲ-୩୭ ଉଲ୍ଲଂଘନ ନେଇ ଅଲଗା ବିଚାର ହେବ ବୋଲି କୋର୍ଟ କହିଛନ୍ତି । ହୁଏତ ଏହା ଆଗାମୀ ଦିନରେ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe