ଚାହିଦା କମୁଛି, ଚାଷୀ ମୁହଁ ଫେରାଉଛି । ବଜାରରେ ଅଧିକ ମାଣ୍ଡିଆ ବିକ୍ରି ପାଇଁ କନ୍ଧମାଳ କୃଷି ବିଭାଗର ନୂଆ ପଦକ୍ଷେପ ।

137

କନକ ବ୍ୟୁରୋ: ମିଲେଟ୍ ମିଶନ ଜରିଆରେ ମାଣ୍ଡିଆକୁ ଲୋକଙ୍କ ପାଖରେ ଆଦୃତ କରାଇବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି ସରକାର । ଫାଇବର କ୍ୟାଲସିୟମ ଓ ବିଭିନ୍ନ ପୃଷ୍ଟିସାରରେ ଭରପୁର ଏହି ଶସ୍ୟର ଚାହିଦା କିନ୍ତୁ ଦିନକୁ ଦିନ କମିଯାଇଛି । କନ୍ଧମାଳ ଜିଲ୍ଲାର ଚାଷୀମାନେ ଏହି ଚାଷରୁ ମୁହଁ ଫେରେଇ ନେଉଛନ୍ତି । ତେଣୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ଚାଷୀଙ୍କ ପାଖରେ ପହଂଚି ମାଣ୍ଡିଆ ଚାଷ କରିବାକୁ ପ୍ରୋତ୍ସାହିତ କରୁଛି ସରକାରଙ୍କ କୃଷି ବିଭାଗ ।

ଧାନ, ବିରି, ମୁଗ, କପା ଭଳି ମାଣ୍ଡିଆ ଚାଷର ଚାହିଦା ନାହିଁ । ଦିନକୁ ଦିନେ ଏହାର ବ୍ୟବହାର କମୁଛି । ଫାଇବର କ୍ୟାଲ୍ସିୟମ ଓ ବିଭିନ୍ନ ପୃଷ୍ଟିସାରରେ ଭରପୁର ଏହି ଶସ୍ୟ ପ୍ରତି ଚାଷୀ ମଧ୍ୟ ବିମୁଖ ହେଉଛନ୍ତି । ତେଣୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ମାଣ୍ଡିଆକୁ ନେଇ ଲୋକଙ୍କ ପାଖରେ ପହଂଚିବା ପାଇଁ ଉଦ୍ୟମ କରୁଛି କନ୍ଧମାଳ କୃଷି ବିଭାଗ । ସେଥିପାଇଁ ତ ବଜାର, ହାଟ, ମେଳାରେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରଦର୍ଶିତ କରୁଛନ୍ତି ସ୍ୱାଚ୍ଛାସେବୀ ସଂଗଠନ । ମାଣ୍ଡିଆ ବିସ୍କୁଟ, ସୁପ, ଦାନ୍ତିକିଲି, ପିଠା, କ୍ଷିରି ଓ ମାଣ୍ଡିଆ ହାଲୁଆ ତିଆରି କରି ଲୋକକୁ ମାଣ୍ଡିଆ ବିଷୟରେ ସଚେତନ କରାଉଛନ୍ତି ।

କନ୍ଧମାଳ ଜିଲ୍ଲାରେ ୧୬ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି । ୧୬ ହଜାରରୁ ଅଧିକ ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି । ୭ଟି ବ୍ଲକର ୧୪ଟି ସ୍ଥାନରେ ମଣ୍ଡି ଜରିଆରେ ମାଣ୍ଡିଆ କିଲୋପ୍ରତି ୩୨ ଟଙ୍କା ୯୫ ପଇସା ସରକାର କିଣୁଛନ୍ତି । ଆଗାମୀ ଦିନରେ କିପରି ଅଧିକରୁ ଅଧିକ ମାଣ୍ଡିଆ ଚାଷ ହେବ ଓ ଲୋକମାନେ କିଭଳି ଏହାର ଗୁଣବତା ବୁଝିବେ ତାକୁ ନେଇ କୃଷି ବିଭାଗ ଉଦ୍ୟମ କରୁଛି । ମାଣ୍ଡିଆ ଖାଇଲେ ଶରୀର ପାଇଁ ଭଲ, ଏକଥା ସମସ୍ତେ ଜାଣନ୍ତି ।  ଆର୍ଥିକ ଲାଭ ଦୃଷ୍ଟିରୁ କିନ୍ତୁ ଉପକୂଳ, ଉତ୍ତର କି ପଶ୍ଚିମ ଓଡିଶାରେ ଚାଷୀମାନେ ଧାନ ଚାଷ କରୁଥିବା ବେଳେ ଦକ୍ଷିଣ ଓଡିଶାରେ ମାଣ୍ଡିଆ ଚାଷ ହୋଇଥାଏ । କିନ୍ତୁ ଏବେ ଚାଷ କମୁଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି ।