ଆମେରିକାରେ ମଧ୍ୟବର୍ତିକାଳୀନ ନିର୍ବାଚନ ପାଇଁ ମଙ୍ଗଳବାର ପଡିଛି ଭୋଟ । ବାଇଡେନଙ୍କ ଠାରୁ ଆଗରେ ଟ୍ରମ୍ପଙ୍କ ପାର୍ଟି

522

କନକ ବ୍ୟୁରୋ : ଆମେରିକାରେ ମଧ୍ୟବର୍ତିକାଳୀନ ନିର୍ବାଚନ ପାଇଁ ମଙ୍ଗଳବାର ପଡିଛି ଭୋଟ । ଭୋଟଦାନ ପରେ ମତଗଣନା ମଧ୍ୟ ହୋଇଛିି । ତେବେ ମତଗଣନା ପରେ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ରୋଚକ ଓ ଆଶ୍ଚଯ୍ୟଜନକ ମଧ୍ୟ । କାରଣ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିଠୁ ଆଗରେ ରହିଛି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ରିପବ୍ଲିକାନ । ଆମେରିକାରେ ମଧ୍ୟବର୍ତୀକାଳୀନ ନିର୍ବାଚନରେ ସଂସଦର ନିମ୍ନ ଓ ଉଚ୍ଚ କକ୍ଷରେ ରିପବ୍ଲିକାନ ଓ ଡେମୋକ୍ରେଟିକ ଦୁଇ ଦଳ ମଧ୍ୟରେ ହୋଇଛି ଜୋରଦାର ଲଢେଇ । ଏହି ନିର୍ବାଚନ ଜରିଆରେ ଗୃହରେ ଦୁଇ ଦଳର ସଦସ୍ୟଙ୍କୁ ଚୟନ କରାଯାଇଥାଏ ।

ସେପଟେ ଆମେରିକା ରାଜନୈତିକ ବିଶେଷଜ୍ଞଙ୍କ ମତରେ ନିର୍ବାଚନରେ ଦରଦାମ ବୃଦ୍ଧି ଓ ଗର୍ଭପାତ ସବୁଠୁ ବଡ ପ୍ରସଙ୍ଗ ରହିଛି । କିନ୍ତୁ ଏଡିସନ ସର୍ଭେ ରିପୋର୍ଟ କହୁଛି ଅପରାଧ ଇମିଗ୍ରେସନ ଓ ଗନ ପଲିସି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ବାଇଡେନଙ୍କ ପାଇଁ ସମସ୍ୟା ଆଣିପାରେ । ଆମେରିକା ଗତ ୪୦ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଦରଦାମ ବୃଦ୍ଧି ସମସ୍ୟା ଦେଇ ଗତି କରୁଛି । ମଧ୍ୟବର୍ତିକାଳୀନ ନିର୍ବାଚନର ଅଧିକାଂଶ ଭୋଟ ବାଇଡେନଙ୍କ ବିରୋଧରେ ଆସିବା ପଛରେ ଏହା ମୁଖ୍ୟ କାରଣ ହୋଇପାରେ । ୧୦ଜଣ ଭୋଟରଙ୍କ ମଧ୍ୟରୁ ୭ ଜଣ ଭୋଟର ଦ୍ୱୀତିୟ ଥର ପାଇଁ ବାଇଡେନଙ୍କ ହାତରେ ଶାସନ କ୍ଷମତା ଦେଖିବାକୁ ଚାହୁଁନଥିବା ଫଳାଫଳରୁ ସଙ୍କେତ ମିଳିସାରିଛି ।

ଏକଥା ସ୍ପଷ୍ଟ ହୋଇସାରିଛି କି ଆମେରିକାରେ ବାଇଡେନ ବିରୋଧୀ ଲହର ଆରମ୍ଭ ହୋଇସାରିଛି । ସବୁଠୁ ବଡ କଥା ହେଉଛି ମଧ୍ୟବର୍ତିକାଳୀନ ନିର୍ବାଚନର ଏହି ଫଳାଫଳ ପ୍ରକାଶ ପାଇବା ପରେ ବର୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଅଙ୍ଗୁଳି ଉଠିବା ମଧ୍ୟ ଏକ ପ୍ରକାର ଥୟ ହୋଇଛି । ସେପଟେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ରାଜନୈତିକ କ୍ୟାରିୟର ପାଇଁ ମଧ୍ୟ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ।