ମଝି ଆକାଶରେ ଦୁର୍ଘଟଣାଠାରୁ ଅଳ୍ପକେ ବର୍ତିଗଲେ ୨ ଯାତ୍ରୀବାହୀ ବିମାନ: ରକ୍ଷା ପାଇଗଲା ୩୫୦ ଯାତ୍ରୀଙ୍କ ଜୀବନ

46

କନକ ବ୍ୟୁରୋ : ଆକାଶରେ ଉଡାଣ ଭରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲେ ୨ ବିମାନା । ମିଳିଥିବା ସୂଚନା ଅନୁସାରେ ୩୫୦ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଦୁଇଟି ବିମାନ କୋଲକାତା ଆକାଶରେ ଧକ୍କା ଖାଇବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅନ୍-ବୋର୍ଡ କୋଲିସନ୍ ଓ୍ଵାର୍ଣ୍ଣିଙ୍ଗ୍ ସିଷ୍ଟମ୍ ସତର୍କ କରାଇ ଦେବାରୁ ବିମାନ ଦୁଇଟି ପରସ୍ପର ଠାରୁ ଦୂରେଇ ଯାଇ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି। ଜଣେ ରାଡାର୍ କଣ୍ଟ୍ରୋଲର୍ ଏବଂ ଜଣେ ପ୍ରଡ୍ୟୁସର୍ କଣ୍ଟ୍ରୋଲଙ୍କ ସହ ଦୁଇ ଜଣ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଅଧିକାରୀଙ୍କୁ ନେଇ ଏକ ବେଞ୍ଚ୍ ଗଠନ କରାଯାଇଛି। ତଦନ୍ତକାରୀମାନେ କଣ୍ଟ୍ରୋଲର୍ ଏବଂ ପାଇଲଟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ଟେପ୍ ଏବଂ ରାଡାର୍ ଡାଟା ସମୀକ୍ଷା କରିବେ।

 

କୋଲକାତା ଏୟାର୍ ପୋର୍ଟ ଅଧିକାରୀଙ୍କ କହିବା ଅନୁସାରେ, କୋଲକାତାରୁ ବରୋଦା ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନକୁ ୨୯, ୦୦୦ ଫୁଟ୍ ଉଚ୍ଚକୁ ଉଠିବାକୁ ଏଟିସି କହିଥିଲା। ଏତିକିବେଳେ ବରୋଦାରୁ ପହଞ୍ଚୁଥିବା ଏୟାର୍ ଏସିଆର ଏକ ବିମାନକୁ ସମାନ ଉଚ୍ଚତାରୁ ଅବତରଣ କରିବାକୁ କୁହାଯାଇଥିଲା ତେଣୁ, ସର୍ବନିମ୍ନ ଉଚ୍ଚତାରେ ବିମାନ ଦୁଇଟି ପରସ୍ପର ଆଡ଼କୁ ମାଡ଼ି ଆସିବାରୁ ଧକ୍କା ଖାଇବା ଥିଲା ସୁନିଶ୍ଚିତ। ଦୁଇ ବିମାନ ମଧ୍ୟରେ ପ୍ରାୟ ୨୦୦ ଫୁଟ୍ ଦୂରତା ଥିବାବେଳେ ଅନ୍-ବୋର୍ଡ କୋଲିସନ୍ ଆଭଏଡ୍ ସିଷ୍ଟମ୍ ସତର୍କ କରାଇ ଦେଇଥିଲା। ତେବେ ବାରମ୍ବାର ସାରା ଦେଶରେ ଅନେକ ସମୟରେ ଏପରି ଭାବରେ ବିମାନ ଦୁର୍ଘଟଣା ଆଶଙ୍କା ହେଉଥିବାରୁ ଏହା ଉପରେ ବିଚାର କରିବା ସହ କିପରି ଭାବରେ ଏପରି ବିମାନ ଦୁର୍ଘଟଣାଠାରୁ ରକ୍ଷା ପାଇ ହେବ ସେନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।