ବିଜେପି ଛାଡି ଟିଏମସିରେ ଯୋଗ ଦେବା ପରେ ମୁକୁଲ ରାୟଙ୍କ ଠାରୁ ‘ଜେଡ ସିକ୍ୟୁରିଟି’ ହଟାଇନେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

309

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସକୁ ଫେରିବା ପରେ ମୁକଲ ରାୟଙ୍କ ଠାରୁ ‘ଜେଡ ସିକ୍ୟୁରିଟି’ ହଟାଇ ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏନେଇ ସିଆରପିଏଫର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଗୁରୁବାର ସକାଳେ ମୁକୁଲ ରାୟଙ୍କ ସୁରକ୍ଷାରେ ଥିବା କର୍ମଚାରୀଙ୍କୁ ହଟାଇ ନିଆଯାଇଛି ।

କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମୁକୁଲ ରାୟଙ୍କୁ ସୁରକ୍ଷା ବଢାଇ ‘ଜେଡ ସିକ୍ୟୁରିଟି’ କରି ଦିଆଯାଇଥିଲା । ଏହା ଫଳରେ ମୁକୁଲ ରାୟଙ୍କ ସୁରକ୍ଷା ପାଇଁ ୩ ଟି ସିଫ୍ଟରେ ୩୩ ଜଣ ସିଆରପିଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଥିଲା । ଏଥିରେ ସଶସ୍ତ୍ର ଯବାନ ବି ସାମିଲ ଥିଲେ ।

ମୁକୁଲ ରାୟ ଟିଏମସିରେ ସାମିଲ ହେବା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଚିଠି ଲେଖି ‘ଜେଡ ସିକ୍ୟୁରିଟି’ ହଟାଇ ନେବାକୁ କହିଥିଲେ । ଏହା ବ୍ୟତୀତ ମୁକୁଲ ରାୟଙ୍କ ପୁଅ ଶୁଭ୍ରାସୁଂଙ୍କ ଠାରୁ ବି ଗତ ସପ୍ତାହରେ ସିଆଇଏସଏଫ୍ ସୁରକ୍ଷା ହଟାଇ ଦିଆଯାଇଥିଲା । ଏନେଇ କୋଲକତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶୁଭ୍ରାସୁଂ କହିଥିଲେ କି କେନ୍ଦ୍ର ସରକାର ସିଆଇଏସଏଫ୍ ସୁରକ୍ଷା ହଟାଇ ନେବା ପୂର୍ବରୁ ସେ ତାଙ୍କ ସୁରକ୍ଷାରେ ଥିବା ସିଆଇଏସଏଫ୍ ର କର୍ମଚାରୀଙ୍କୁ ମୁକ୍ତ କରିଦେଇଥିଲେ । ଅନ୍ୟପଟେ ସିଆଇଏସଏଫ୍ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି କି, ଏବେ ବି ଯବାନ ମାନେ ଶୁଭ୍ରାସୁଂଙ୍କ ସୁରକ୍ଷା ଦାୟୀତ୍ୱରେ ରହିଛନ୍ତି ।

ଗତ ମାସରେ ପଶ୍ଚିମବଙ୍ଗରେ ନିର୍ବାଚନୋତ୍ତର ହିଂସା ଏବଂ ସେମାନଙ୍କ ଜୀବନ ପ୍ରତି ସମ୍ଭାବ୍ୟ ବିପଦ୍ ଥିବାରୁ କେନ୍ଦ୍ର ସରକାର ‘ବିଜେପି’ର ନବନିର୍ବାଚିତ ୭୭ଜଣ ବିଧାୟକଙ୍କୁ କେନ୍ଦ୍ରୀୟ ନିରାପତ୍ତା ବଳ ସୁରକ୍ଷା ଯୋଗାଇ ଦେଇଥିଲେ।