‘ଅଗ୍ନିପଥ’ : ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ

310

କନକ ବ୍ୟୁରୋ : ‘ଅଗ୍ନିବୀର’ଙ୍କୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଅର୍ଦ୍ଧସାମରିକ ବଳରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ଅଗ୍ନିବୀର ଭାବେ ୪ ବର୍ଷ କାର୍ଯ୍ୟକାଳ ଶେଷ ପରେ ନିଯୁକ୍ତି ମିଳିବ । ସିଏପିଏଫ ଓ ଆସାମ ରାଇଫଲ୍ସରେ ୧୦ % ସଂରକ୍ଷଣ ରହିବ । ବୟସ ସୀମା ୩ ବର୍ଷ କୋହଳ କରିବାକୁ ନିଷ୍ପତ୍ତି ନିଆଗଲା । ବିବାଦ ପରେ ସଂରକ୍ଷଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ନିଆଯାଇଛି ।

ଅଗ୍ନିପଥ ଯୋଜନା ଅଧିନରେ ଭାରତୀୟ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ । ଆସନ୍ତା ୨୪ ତାରିଖରୁ ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବାୟୁସେନା ମୁଖ୍ୟ । ସୋମବାର ସୁଦ୍ଧା ଏସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯିବ । ଆସନ୍ତା ଡିସେମ୍ବରରୁ ଏହି ଯୋଜନାରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯିବ । ବାୟୁସେନା ମୁଖ୍ୟ କହିଛନ୍ତି ଏହି ଯୁଗାନ୍ତକାରୀ ନିଯୁକ୍ତି ଯୋଜନା ବୈପ୍ଳବିକ ପରିବର୍ତନ ଆଣିବ ।

ସେହିପରି ଡିସେମ୍ବରରୁ ସ୍ଥଳସେନାରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେନା ମୁଖ୍ୟ କହିଛନ୍ତି, ଖୁବ୍ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ଦୁଇ ଦିନ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରାଯିବ । କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଅଧୀନରେ ବୟସସୀମା ୨୩କୁ ବୃଦ୍ଧି କରିବା ପରେ ସେନାମୁଖ୍ୟ ଏହାକୁ ପ୍ରଶଂସା କରିଛନ୍ତି । ଯୁବଗୋଷ୍ଠୀ ଏହି ଯୋଜନାର ଫାଇଦା ନେବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ସପ୍ତାହକ ମଧ୍ୟ ନୌସେନା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।