ସାମ୍ନାକୁ ଆସିଛି ଏମଜିଏନଆରଇଜିଏସ୍ ସାଂଘାତିକ ସତ । ମାଲକାନଗିରି ଜିଲ୍ଲା ମାଥିଲିରେ ଶ୍ରମିକଙ୍କୁ ଆଳ କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଛନ୍ତି ବିଭାଗୀୟ ଅଧିକାରୀ ।

96

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଏମଜିଏନଆରଇଜିଏସର ସାଂଘାତିକ ସତ । କୋଭିଡ କାଳରେ ଶ୍ରମିକଙ୍କୁ କାମ ଯୋଗାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଦେଇଛନ୍ତି ଅଧିକାରୀ । ଏନେଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏମଜିଏନଆରଇଜିଏସ ଅର୍ଥକୁ ବାଟମାରଣା ହୋଇଥିବା ଅଭିଯୋଗ କରି ବିଡିଓଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିଛି ମାଲକାନଗିରି ଆଦିବାସୀ ମହାସଭା ସଂଘ ।

କରୋନା କାଳରେ ଶ୍ରମିକଙ୍କୁ କାମ ଦେବା ଆଳରେ ମହାଦୁର୍ନୀତି ହୋଇଛି । ୨୦୨୦–୨୧ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏସ ଯୋଜନାରେ ହୋଇଥିବା କାମର ଚିତ୍ର ଦେଖିଲେ ଦୁର୍ନୀତି ଜଳଜଳ ହୋଇ ଦେଖାଯାଉଛି । ଟ୍ରେନଚ୍ କମ୍ ବଣ୍ଡିଂ ପ୍ରକଳ୍ପରେ ହୋଇଛି ଲକ୍ଷାଧିକ ଟଙ୍କାର ଘୋଟାଲା । ମାଲକାନଗିରି ମାଥିଲି ବ୍ଲକ କିଆଙ୍ଗ ପଂଚାୟତର ରାସ୍ତା କଡରେ ସମତୁଲ ସ୍ଥାନରେ ନାମକୁ ମାତ୍ର ଗାତ ଖୋଳି, ଶ୍ରମିକଙ୍କୁ ମୋହରା କରି, ସରକାରୀ ଅର୍ଥରେ ନିଜ ପକେଟ୍ ଗରମ କରିଛନ୍ତି ବିଭାଗୀୟ ଅଧିକାରୀ । ସେହିପରି କୁଟୁଣିପାଲି, ଧୁଙ୍ଗିଆପୁଟ, ସାଲିମି, ଦଳପତିଗୁଡା ପଂଚାୟତରେ ଲୋକ ଦେଖାଣିଆ କାମ ହୋଇଥିବା ବେଳେ କିଛି ସ୍ଥାନରେ ଜମି ମାଲିକଙ୍କ ଅଜଣାତରେ କାମ ସରିଥିବା ଅଭିଯୋଗ ହୋଇଛି ।

ସେପଟେ ଏହି ମହାଘୋଟାଲାର ତଦନ୍ତ ଦାବି କରି ମାଥିଲି ବିଡିଓଙ୍କୁ ଭେଟିଛି ମାଲକାନଗିରି ଆଦିବାସୀ ମହାସଂଘ । ଗରିବ ଶ୍ରମିକଙ୍କୁ ଢାଲ କରି ଅର୍ଥ ଆତ୍ମସାତ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ, ନଚେତ୍ ଆଗାମୀ ଦିନରେ ଆଦିବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ହଳଧର ପୂଜାରୀ ।

୨୦୨୦–୨୧ ବର୍ଷରେ ମାଥିଲି ବ୍ଲକର ୨୦ଟି ପଂଚାୟତର ୧୪୮ଟି ରାଜସ୍ୱ ଗାଁରେ ଟ୍ରେନଚ୍ କମ୍ ବଣ୍ଡିଂ ପ୍ରକଳ୍ପ ସରିଛି । ଯୋଜନାରେ ୨ କୋଟି ୭୧ ଲକ୍ଷ ୮୪ ହଜାର ଟଙ୍କା ଅଟକଳ ହୋଇଛି । ଏଯାଏଁ ୧ କୋଟି ୮୨ ଲକ୍ଷ ୭୨ ହଜାର ଟଙ୍କା ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଥିବା ସରକାରୀ ଦସ୍ତାବିତ କହୁଛି । ଏକ ଟିମ୍ ଗଠନ କରି ଏହି ଅଭିଯୋଗର ତଦନ୍ତ କରାଯିବ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାଥିଲି ବିଡିଓ ।