ରାଜନୀତିରେ ନିଆଁ ଲଗାଇଲା ମାଲ୍ୟାଙ୍କ ବୟାନ ! ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ, କହିଲେ, ବୁଝାମଣା ଭିତରେ ଦେଶ ଛାଡିଲେ ମଦ ବ୍ୟବସାୟୀ ।

32

କନକ ବ୍ୟୁରୋ : ବିଜୟ ମାଲ୍ୟା ଏପରି ବୋମା ପକାଇଛନ୍ତି, ଦେଶର ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ । ଦେଶରୁ ଫେରାର ହୋଇଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଭେଟିଥିବା ନେଇ ଫ୍ରଡ ମାଷ୍ଟର ବିଜୟ ମାଲ୍ୟା ବୟାନ ଦେବା ପରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ସିଧାସଳଖ ଅଭିଯୋଗ କରିଛନ୍ତି, ଜେଟଲିଙ୍କ ସହ ଭିତିରି ବୁଝାମଣା ଯୋଗୁଁ ଖସିଗଲେ ମାଲ୍ୟା । ସଂସଦ ଭବନରେ ମାଲ୍ୟା ଏବଂ ଜେଟଲୀ ୧୫ ମିନିଟ୍ ଆଲୋଚନା କରିଥିବା ଦେଖିଛନ୍ତି ବୋଲି କହି ନିଆଁରେ ଘିଅ ଢାଳିଛନ୍ତି କଂଗ୍ରେସ ନେତା ପିଏଲ୍ ପୁନିଆ । ସେପଟେ କଂଗ୍ରେସକୁ କାଠଗଡ଼ାକୁ ଟାଣିବାକୁ ଉଦ୍ୟମ କରିଛି ବିଜେପି ।

ମୋଦି ସରକାରଙ୍କୁ ଅଡୁଆ ମାଲ୍ୟାଙ୍କ ବୟାନ । ଜେଟଲିଙ୍କ ଇସ୍ତଫା ଦାବି କଲେ ରାହୁଲ । ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସଂପର୍କରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟ ଦେଇଥିବା ବୟାନ୍ ଦେଶର ରାଜନୀତିରେ କେବଳ ଝଡ଼ ସୃଷ୍ଟି କରିନି ବରଂ ମୋଦି ସରକାରଙ୍କୁ କାଠଗଡ଼ାରେ ଠିଆ କରିଛି । ଯାହା ବିରୋଧୀ କଂଗ୍ରେସ ପାଇଁ ଆଣି ଦେଇଛି-ରାଜନୈତିକ ଆକ୍ରମଣର ଏକ ଅପୂର୍ବ ସୁଯୋଗ । ଆଉ ଏହି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁ ନାହାଁନ୍ତି କଂଗ୍ରେସ ଅଧ୍ୟକ୍ଷ ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ୍ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ଜେଟଲିଙ୍କ ସହ ଭିତିରି ବୁଝାମଣା ଯୋଗୁଁ ଖସିଗଲେ ମାଲ୍ୟା । ବିଜୟ ମାଲ୍ୟା, ବିଦେଶକୁ ଫେରାର୍ ହେବା ପୂର୍ବରୁ ସଂସଦ ଭବନରେ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ । ହେଲେ କାହିଁକି ଏନେଇ ପୁଲିସ୍ କିମ୍ବା ଇଡିକୁ ସୂଚନା ଦେଇନଥିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଆରେଷ୍ଟ ନୋଟିସକୁ ଇନଫର୍ମ ନୋଟିସରେ ପରିବର୍ତନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ମାଲ୍ୟା ଏବଂ ଜେଟଲୀ ସଂସଦ ଭବନରେ ପ୍ରାୟ ୧୫ ମିନିଟ୍ ଆଲୋଚନା କରିଥିବା କଂଗ୍ରେସ ଦାବି କରୁଥିବା ବେଳେ ପ୍ରମାଣ ଦେବାକୁ ଯାଇ, ଦଳର ନେତା ପିଏଲ୍ ପୁନିଆଙ୍କୁ ସାମ୍ନାକୁ ଅଣାଯାଇଛି । କାରଣ ସଂସଦ ଭବନରେ ଜେଟଲି ଓ ମାଲ୍ୟାଙ୍କ କଥାବାର୍ତାକୁ ଦେଖିଥିଲେ ପୁନିଆ ।

କଂଗ୍ରେସର ପ୍ରଶ୍ନ ବାଣରେ ଘାଇଲା ହୋଇଥିବା ବିଜେପି, ସଫେଇ ଦେବାକୁ ବାହାରି ଆସିଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ମାଲ୍ୟାଙ୍କୁ ସହଯୋଗ କରୁଥିଲା । ତେଣୁ ରାହୁଲଙ୍କର ପ୍ରଶ୍ନ ପଚାରିବାର ଅଧିକାର ନାହିଁ । ଆଉ ଏସବୁ ଭିତରେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ ରଖିଥିବା ବୟାନ୍, ଦଳକୁ ଅଡୁଆରେ ପକାଇଛି । ଏହି ବିବାଦ ସେତେବେଳେ ଜୋର ଧରିଥିଲା, ଯେତେବେଳେ ପଳାତକ ବ୍ୟବସାୟୀ, ବିଜୟ ମାଲ୍ୟା ଦାବି କରିଥିଲେ ଯେ, ସେ ଲଣ୍ଡନ୍ ଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଜେଟଲିଙ୍କୁ ଭେଟିଥିଲେ । ସେପଟେ ଏହି ଅଭିଯୋଗର ସଫେଇ ରଖିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କା ଚୁନା ଲଗାଇ ଲଣ୍ଡନରେ ଲୁଚିଥିବା ବିଜୟ ମାଲ୍ୟା ଭାରତକୁ ପ୍ରତ୍ୟାର୍ପଣ ପୂର୍ବରୁ ଫିଙ୍ଗିଛନ୍ତି ଏହି ଗୁଗଲି । ଯାହା ଭାରତୀୟ ରାଜନୀତିକୁ ସରଗରମ କରିଛି ।