ଡାକ୍ତରଖାନା ଅଛି ହେଲେ ଡାକ୍ତର ନାହାନ୍ତି ! ଡାକ୍ତର ଅଭାବରୁ ଯାଜପୁର ବିଂଝାରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରୁଛନ୍ତି ଫାର୍ମାଶିଷ୍ଟ ।

86

କନକ ବ୍ୟୁରୋ : ଡାକ୍ତରଖାନା ଅଛି ହେଲେ ଡାକ୍ତର ନାହାନ୍ତି । କେଉଁଠି ଫାର୍ମାଶିଷ୍ଟ ରୋଗୀ ଦେଖୁଛନ୍ତି ତ ଆଉ କେଉଁଠି ଡାକ୍ତରଙ୍କୁ ଅପେକ୍ଷା କରି ରୋଗୀ ଘରକୁ ପେଂରୁଛନ୍ତି । ଯାଜପୁର ବିଂଝାରପୁର ବ୍ଲକର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସବୁଠି ଦେଖା ଦେଇଛି ଡାକ୍ତର ସମସ୍ୟା । ଆଉ ଏହାକୁ ପ୍ରସଙ୍ଗ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ସେପଟେ ଆବଶ୍ୟକତା ଅନୁଯାୟୀ ଡାକ୍ତର ପଦବୀ ପୂରଣ କରାଯାଉଛି ବୋଲି ଜବାବ ରଖିଛନ୍ତି ସ୍ଥାନୀୟ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ଦୀର୍ଘ ସମୟ ଧରି ଡାକ୍ତରଖାନା ସମ୍ମୁଖରେ ରୋଗୀଙ୍କ ଭିଡ ଲାଗୁଛି  । ଡାକ୍ତର ନଥିବାରୁ କେଉଁଠି ପାଂର୍ମାଶିଷ୍ଟ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ତ ଆଉ କେଉଁଠି ଡାକ୍ତରକୁ ଅପେକ୍ଷା କରି କରି ଶେଷରେ ରୋଗୀଙ୍କୁ ଘରକୁ ଫେରିବାକୁ ପଡୁଛି । ଅତି ଗୁରୁତର ରୋଗୀ ଘରୋଇ ଡାକ୍ତରଖାନାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏମିତି ଏକ ସ୍ୱାସ୍ଥ୍ୟସେବା ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର । କେବଳ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନୁହେଁ ଏହା ଅଧିନରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ସମାନ ସ୍ଥିତି । ବିଂଝାରପୁରରେ ଡାକ୍ତର ସମସ୍ୟାକୁ ପ୍ରସଙ୍ଗ କରି ରାଜନୈତିକ ବୈତରଣୀ ପାର ହେବା ପାଇଁ ଉଦ୍ୟମ କରୁଛି ବିଜେପି ।

ବାରମ୍ବାର ଡାକ୍ତର ନିଯୁକ୍ତି ନେଇ ଦାବୀ କରାଯାଇଥିଲେ ହେଁ ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ବିଜେପି ମହିଳା ମୋର୍ଚା ଅଭିଯୋଗ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ସ୍ଥାନୀୟ ବିଧାୟିକା । ପର୍ଯ୍ୟାୟ କ୍ରମେ ଡାକ୍ତର ନିଯୁକ୍ତି ଦିଆଯାଉଛି ବୋଲି କହିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ । ବିଂଝାରପୁର ଅଂଚଳରେ ତୁରନ୍ତ ଡାକ୍ତର ନିଯୁକ୍ତି ନ ହେଲେ ଆଗକୁ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି ।