ଝାଡଖଣ୍ଡରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ । ଗଣମାଧ୍ୟମକୁ ନେଇ କହିଲେ ଏଭଳି କଥା

210

କନକ ବ୍ୟୁରୋ : କିଛିଦିନ ତଳେ ସରକାରଙ୍କ ଉପରେ ବର୍ଷିଥିବା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି ରମନ୍ନା ଆଜି ପୁଣି ଗଣମାଧ୍ୟମ ଉପରେ ବର୍ଷିଛନ୍ତି । ସୁପ୍ରିମ କୋର୍ଟର ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଏକ ଦିବସୀୟ ଗସ୍ତରେ ଝାଡଖଣ୍ଡ ପହଂଚିଛନ୍ତି । ଏଠାରେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରିବା ବେଳେ ଦେଶର ଗଣମାଧ୍ୟମକୁ ନେଇ ଏଭଳି କିଛି କହିଛନ୍ତି ମୁଖ୍ୟ ବିଚାରପତି । ସେ କହିଛନ୍ତି କି, “ଆମେ ଦେଖିବାକୁ ପାଉଛୁ କି ଗଣମାଧ୍ୟମ ଦେଶରେ କଙ୍ଗାରୁ କୋର୍ଟ ଚଳାଇଛି, ଫଳରେ ଏଭଳି ଖବର ଦେଖିବା ପରେ ଅନୁଭବି ବିଚାରପତିମାନେ ବି ଦ୍ୱନ୍ଦରେ ପଡିଯାଉଛନ୍ତି କି କେଉଁଟି ଠିକ୍ ଓ କେଉଁଟି ଭୂଲ” । ଏହାସହ ସେ କହିଛନ୍ତି କି, ନ୍ୟାୟ ମାମଲାରେ ଗଣମାଧ୍ୟମ ଭୂଲ ସୂଚନା ଓ କାର୍ଯ୍ୟକ୍ରମ ଚଳାଇବା ଦେଶ ପାଇଁ କ୍ଷତିକାରକ ।

କେବଳ ଏତିକି ନୁହେଁ ମୁଖ୍ୟ ବିଚାର ପତି କହିଛନ୍ତି କି ଆମେ ଆମ ଦାୟୀତ୍ୱରୁ ପଳାୟନ କରିପାରିବା ନାହିଁ । ହେଲେ ଗଣମାଧ୍ୟମର ଏଭଳି ପ୍ରବୃତ୍ତି ଆମକୁ ଦୁଇପାଦ ପଛକୁ ଫେରାଇ ନେଉଛି । ମୁଦ୍ରିତ ଗଣମାଧ୍ୟମ ଏପର୍ଯ୍ୟନ୍ତ କିଛି ପରିମାଣର ଉତ୍ତରଦାୟିତ୍ୱ ତୁଲାଉଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ତା’ର ଉତ୍ତର ଦାୟୀତ୍ୱ ଭୁଲି ଯାଇଥିବା କଥା କହିଛନ୍ତି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ।

 

ଜଷ୍ଟିସ ଏନ.ଭି ରମନ୍ନା କହିଛନ୍ତି କି, ବର୍ତ୍ତମାନ ନ୍ୟାୟପାଳିକା ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଆହ୍ୱାନ ହେଉଛି ବିଚାର ପାଇଁ ମାମଲାକୁ ପ୍ରାଥମିକତା ଦେବା । ବିଚାରପତିମାନେ ସାମାଜିକ ବାସ୍ତବତା ପ୍ରତି ଆଖି ବୁଜି ପାରିବେ ନାହିଁ ବୋଲି ସେ କହିବା ସହ ସମାଜକୁ ବଞ୍ଚାଇବା ଏବଂ ବିବାଦକୁ ଏଡାଇବା ପାଇଁ ବିଚାରପତିମାନଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାମଲାକୁ ପ୍ରାଥମିକତା ଦେବାକୁ ପଡିବ ବୋଲି ସେ କହିଛନ୍ତି ।