ପୋଲିସ ଜାଲରେ ଶିକ୍ଷିତ ଚୋର ! ହାତରେ ଏମସିଏ ଡିଗ୍ରୀ , କିନ୍ତୁ ପେଶା ଚୋରୀ ।

41

କନକ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଆଉ ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ହେଉଛି ଜଣେ ଉଚ୍ଚ ଶିକ୍ଷିତ ।ଏହି ଲୁଟେରା ଗ୍ୟାଙ୍ଗର ନାଁରେ କଟକ ସମେତ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି । ଉଚ୍ଚ ଶିକ୍ଷିତ ଯୁବକ ଚୋରି କରୁଥିବା କଥା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ହାତରେ ଏମସିଏ ଡ଼ିଗ୍ରୀ, କିନ୍ତୁ ପେଶା ଚୋରି । ଭୁବନେଶ୍ୱର ଖୋର୍ଦ୍ଧା ଅଞ୍ଚଳର ମନୋଜ କୁମାର ସିଂହ । କିଛିବର୍ଷ ହେବ ଏମସିଏ ପାଠପଢା ଶେଷ କରିଛନ୍ତି । କିନ୍ତୁ ଏମସିଏ ଡିଗ୍ରୀ ଧାରୀ ମନୋଜ ଚାକରି କରିବା ପରିବର୍ତ୍ତେ ସହଜ ଉପାୟରେ ରୋଜଗାର କରିବା ପାଇଁ ଚୋରିକୁ ପେଶା କରିଛି । ମନୋଜର ଅପରାଧିକ ରେକର୍ଡ ଅନୁଯାୟୀ, ଛାତ୍ର ଜୀବନରୁ ଲାପଟପ ଚୋରି କରୁଥିବା ମନୋଜ ଏବେ ଗୋଟିଏ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ପାଲଟିଛି । ଦୀର୍ଘଦିନ ଧରି ଏହି ଗ୍ୟାଙ୍ଗ କଟକରେ ସକ୍ରିୟ ଥିଲେ ମଧ୍ୟ ପୋଲିସ ହାବୁଡରେ ପଡୁନଥିଲା ।

କିନ୍ତୁ ଗତକିଛି ଦିନ ପୂର୍ବେ କଟକ ସିଡ଼ିଏରୁ ଗ୍ରୀଲ ତାଡି ଏକ ଘରୁ ବହୁ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରୀ ହୋଇଥିଲା । ଏହାର ତଦନ୍ତ କରୁ କରୁ କମିଶନରେଟ ପୋଲିସ ଏହି ଲୁଟେରା ଗ୍ୟାଙ୍ଗର ସନ୍ଧାନ ପାଇଥିଲା । ଆଉ ଏହାପରେ ଚଢାଉ କରି ପୋଲିସ ଏହି ଗ୍ୟାଙ୍ଗର ଦୁଇ ଯୁବକଙ୍କୁ ଗିରଫ କରିଥିଲା । ଦୁଇ ସଦସ୍ୟଙ୍କ ଠାରୁ ପୋଲିସ ୩୦ କିଲୋରୁ ଉଦ୍ଧ୍ୱର୍ ସୁନା ଓ ରୂପା ଅଳଙ୍କାର, ଦୁଇଟି ଲାପଟପ ଜବତ କରିଥିଲା । ତେବେ ଏହି ଗ୍ୟାଙ୍ଗର ବାକି ସଦସ୍ୟ ଫେରାର ରହିଛନ୍ତି । ତେବେ ମନୋଜଙ୍କ ଭଳି ଶିକ୍ଷିତ ଏମସିଏ ଡିଗ୍ରୀଧାରୀ ଯୁବକ ଚୋରି କରିବା ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।