ରାଜନୀତିର ଫୋକସରେ ମୟୂରଭଞ୍ଜ । ଦେଓ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଉପକୃତ ହେବେ ମୟୂରଭଞ୍ଜ ଓ ବାଲେଶ୍ୱରର ଚାଷୀ ।

87

କନକ ବ୍ୟୁରୋ: ରାଜନୀତି ଫୋକସରେ ରହିଛି ମୟୂରଭଞ୍ଜ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବିଜେଡ଼ି ଶିବିରରେ ତତ୍ପରତା ପ୍ରକାଶ ପାଇଛି । ସେହିପରି ମୟୁରଭଂଜରୁ କେନ୍ଦ୍ରମନ୍ତ୍ରୀ ଅଛନ୍ତି ବିଶେଶ୍ୱର ଟୁଡ଼ୁ । ତେଣୁ ଏହି ଜିଲ୍ଳାକୁ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ଆଜି ମୟୂରଭଞ୍ଜରେ ୨ଟି ବଡ଼ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୟୂରଭଞ୍ଜର ଦେଓ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ ।  ମୟୂରଭଂଜ ରାଜଗୋବିନ୍ଦପୁର ବ୍ଲକ ଟିକପଦାରେ ୬୮୫ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଶୁଭାରମ୍ଭ ହୋଇଛି  । ଏହା ଦ୍ୱାରା ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା ମିଳିବ  । ଫଳରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୫୫ ହଜାର ଚାଷୀ ହେବେ ଉପକୃତ ହେବେ  । ମୟୂରଭଂଜର ୧୧ ହଜାର ୬୮୮ ହେକ୍ଟର ଓ ବାଲେଶ୍ୱରର ୫ହଜାର ୪୩୩ ହେକ୍ଟର ଜମି ଜଳସେଚିତ ହେବ । ମୟୂରଭଞ୍ଜର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ । ସେହିପରି କରଂଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୮୨୩ କୋଟି ବ୍ୟୟରେ ଦେଓ ଜଳ ସେଚନ ପ୍ରକଳ୍ପ କରାଯାଇଛି  ।

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ରାଷ୍ଟ୍ରପତି ନିର୍ବାଚନ ପରେ ମୟୂରଭଂଜରେ ବିଜେପି ଫାଇଦାରେ ରହିବ ବୋଲି ଚର୍ଚ୍ଚା ଚାଲିଥିଲା । ଆଦିବାସୀଙ୍କ ଭୋଟ ବ୍ୟାଙ୍କ ବିଜେପି ଆଡକୁ ଢଳିଥିବା ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବିଜେପିକୁ ଚେକ୍ମେଟ ବୋଲି କୁହାଯାଉଛି । କିନ୍ତୁ ବିଜେପି  ଦ୍ରୌପଦୀଙ୍କୁ ରାଷ୍ଟପତି କରିଥିବାରୁ ତାର ଫାଇଦା ନେବାକୁ ଦଳ ଅଂଟା ଭିଡିଛି ।

୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିକୁ ଲାଗିଥିଲା ଶକ୍ତ ଝଟକା  ।  ହାତରୁ ଖସିଯାଇଥିଲା ସଂସଦୀୟ କ୍ଷେତ୍ର ।  ଏପରିକି ୯ଟି ବିଧାନସଭା ଆସନରୁ ୬ଟି ବିଜେପି ହାତକୁ ଯାଇଥିଲା । କିନ୍ତୁ ପଂଚାୟତ ନିର୍ବାଚନରେ ଫର୍ମକୁ ଫେରିଥିଲା ବିଜେଡି । ୫୬ ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୫୩ଟି ଆସନରେ ଜିତିଥିଲା  । ଆଉ ବିଜେପି ଖାତା ଖୋଲି ପାରି ନଥିଲା  । ତେଣୁ ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କରି ଏବେ ଠୁଁ ଗୋଟି ଚାଳନା ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡିଶା ଉପରେ ସ୍ୱତନ୍ତ୍ର ଫୋକସ କରିଛି କେନ୍ଦ୍ରୀୟ ବିଜେପି ଟିମ  ଆଉ  ୨୦୧୯ର ରେଜଲ୍ଟ ରିପଟି ପାଇଁ ବିଜେପି ଉଦ୍ୟମ କରୁଥିବା ବେଳେ ,ମୁଖ୍ୟମନ୍ତ୍ରୀ ଖୋଦ ମୟୂରଭଞ୍ଜ ମାଟିକୁ ଓହ୍ଲାଇ ୨୦୨୪ର ବିଗୁଲ ବଜାଇଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।