କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ସମ୍ମେଟିଭ୍-୨ ପରୀକ୍ଷା ଦେବେ ୫ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ । ପଢନ୍ତୁ, କ’ଣ ଟିପସ ଦେଲେ ଶିକ୍ଷାବିତ୍…

236

କନକ ବ୍ୟୁରୋ: ଆସନ୍ତାକାଲି ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ସମ୍ମେଟିଭ-ଟୁ ପରୀକ୍ଷା ଦେବେ ପ୍ରାୟ ୫ଲକ୍ଷ ୮୫ହଜାର ଛାତ୍ରଛାତ୍ରୀ । କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ପରେ ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଉଥିବାରୁ ସେମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ଏନେଇ ଟିପ୍ସ ଦେଇଛନ୍ତି ଶିକ୍ଷାବିତ ।

  • ଶୁକ୍ରବାରରୁ ମାଟ୍ରିକ୍ ପରୀକ୍ଷା
  • ପରୀକ୍ଷା ଦେବେ ୫ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ

ଶୁକ୍ରବାରରୁ ମାଟ୍ରିକ୍ ସମ୍ମେଟିଭ-୨ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟର ବିଭିନ୍ନ ହାଇସ୍କୁଲରୁ ୫ଲକ୍ଷ ୭୧ ହଜାର ୯୦୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ୪ ହଜାର ୪୪୩ ଜଣ ମଧ୍ୟମା ଏବଂ ୯ ହଜାର ୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଚଳିତଥର ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା କରିଛି ବୋର୍ଡ । କପି ରୋକିବା ଚାରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ରହିଛି । ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଛି ।

ଏପ୍ରିଲ ୨୯ରୁ ମେ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ସେହିପରି ସକାଳ ୮ଟାରୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ଦିନ ଇଂରାଜୀ ପରୀକ୍ଷା ଥିବାରୁ ଚାପଗ୍ରସ୍ତ ନହେବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଇଂରାଜୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ କଣ ଟିପ୍ସ ଦେଇଛନ୍ତି ବିଶେଷଜ୍ଞ, ଆସନ୍ତୁ ନଜର ପକାଇବା..

ପରୀକ୍ଷା ପାଇଁ ଟିପସ
ପରୀକ୍ଷା ପୂର୍ବରୁ ମାନସିକ ଭାବେ ପ୍ରସ୍ତୁତି ଆବଶ୍ୟକ
• ଇଂରାଜୀ ପରୀକ୍ଷାରେ ବ୍ୟାକରଣ ଗତ ତ୍ରୁଟି ଉପରେ ନଜର ରଖିବେ
• ପ୍ରଥମେ ଓଏମଆର ପ୍ରଶ୍ନର ଉତ୍ତର ଦେବେ, ଏଥିପାଇଁ ୧ ଘଣ୍ଟା ସମୟ ରହିଛି
• ବିଷୟଭିତ୍ତିକ ପ୍ରଶ୍ନଗୁଡିକୁ ଭଲ ଭାବେ ବୁଝି ଉତ୍ତର ଲେଖିବେ
• ବିଷୟଭିତ୍ତିକ ପ୍ରଶ୍ନର ଉତ୍ତର ଅଧିକ ନଲେଖି ବିଷୟବସ୍ତୁ ଅନୁଯାୟୀ ଲେଖିବାକୁ ପଡ଼ିବ
• ସହଜ ପ୍ରଶ୍ନକୁ ପ୍ରଥମେ ଏବଂ କଷ୍ଟ ଲାଗୁଥିବା ପ୍ରଶ୍ନର ଉତ୍ତର ପରେ ଲେଖିବେ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସମସ୍ତ ପରୀକ୍ଷାଗୁଡିକୁ ଗୋଟିଏ ସିଟିଂରେ ସୀମିତ ରଖାଯାଇଛି । ପରୀକ୍ଷା କେନ୍ଦ୍ରରେ ପ୍ରଚୁୁର ପରିମାଣର ପାଣି, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ ସରବରାହ ଯେମିତି ନିରବଛିନ୍ନ ରହିବ ସେନେଇ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି ।