ଗର୍ଭବତୀ ନାଟକ ଉପରୁ ଉଠିଲା ପରଦା: ବ୍ୟବସ୍ଥା ଉପରେ ଉଠିଲା ମାଳ ମାଳ ପ୍ରଶ୍ନ

1,058

କନକ ବ୍ୟୁରୋ: ୬ ମାସ ପୂର୍ବରୁ ମମତା କାର୍ଡ ଦିଆଯାଇଥିଲା । ୯ ମାସ ତଳୁ ମହିଳା ଜଣଙ୍କ ଗର୍ଭବତୀ ଥିବା ସେଥିରେ ଉଲ୍ଲେଖ ରହିଛି । ସାମ୍ଭାବ୍ୟ ପ୍ରସବ ତାରିଖ ମଧ୍ୟ ଦିଆଯାଇଛି । ଗର୍ଭବତୀ ନଥାଇ ଟିକା, ଔଷଧ ଦିଆଯାଇଛି । ସରକାରୀ ଆମ୍ବୁଲାନ୍ସରେ ପ୍ରସବ ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ବିଡ଼ମ୍ବନାର କଥା ହେଉଛି ୯ ମାସର ଏହି ମିଛ ଗର୍ଭଧାରଣ ସଂପର୍କରେ ଜଣାପଡ଼ିଲା ଲେବର ରୁମ୍ରେ । ମାଥିଲି ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିବା କୌଶଲ୍ୟା ଭୁମିଆଙ୍କ ସତ ପଦାକୁ ଆସିବା ପରେ ବ୍ୟବସ୍ଥାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ବ୍ୟବସ୍ଥା ଉପରେ ପ୍ରଶ୍ନ?
ଗର୍ଭଧାରଣର ପ୍ରମାଣ ନଥାଇ କେମିତି ଦିଆଯାଉଛି ମା’ ଓ ଶିଶୁ ସୁରକ୍ଷା କାର୍ଡ?
ଗର୍ଭଧାରଣ ନକରି ବି ମିଛ ଗର୍ଭବତୀ ପାଲଟୁଛନ୍ତି ମହିଳା
ପ୍ରତି ମାସରେ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କେମିତି ଜଣାପଡିଲାନି ସତ?

ଗର୍ଭ ଯନ୍ତ୍ରଣା ହେଉଥିବା କହି ମାଥିଲି ସବଡିଭିଜନ ସ୍ୱାସ୍ଥ୍ୟକେନ୍ଦ୍ରକୁ ରବିବାର ଅପରାହ୍ଣରେ ଆସିଥିଲେ ବୀରନପାଲି ଗାଁର କୌଶଲ୍ୟା ଭୂମିଆ ଓ ତାଙ୍କ ସ୍ୱାମୀ । ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ପରେ ତାଙ୍କୁ ପ୍ରସୂତି କକ୍ଷକୁ ନେଇଥିଲେ ଡାକ୍ତରୀ ଟିମ୍ । ଯାଂଚ ପରେ ତାଙ୍କ ଗର୍ଭରେ ଶିଶୁ ନଥିବା କହିଥିଲେ ଡାକ୍ତର । କିନ୍ତୁ ଛୁଆ ଉଭାନ ହୋଇଥିଲା ବୋଲି ଏହି ଆଦିବାସୀ ଦମ୍ପତି ଅଭିଯୋଗ କରିଥିଲେ । ଶେଷରେ ମାଲାକାନଗିରି ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ହେବା ପରେ ସତ ସାମ୍ନାକୁ ଆସିଥିଲା ।

ଏବେ କୁହାଯାଉଛି ମହିଳା ଜଣଙ୍କ ୯ ମାସ ଧରି ଗର୍ଭବତୀ ହେବାର ମିଛ ନାଟକ କରୁଥିଲେ । ଦ୍ୱିତୀୟ ବିବାହ ପରେ ସନ୍ତାନ ପାଇଁ ସ୍ୱାମୀ ତାଙ୍କ ଉପରେ ଚାପ ପକାଉଥିଲେ । ଫ୍ୟାମିଲି ପ୍ଲାନିଂ କରିଥିଲେ ବି କୌଶଲ୍ୟା ଭୂମିଆ ଗର୍ଭବତୀ ହୋଇଥିବା କହିଥିଲେ । ହୁଏତ କୌଶଲ୍ୟା ଏପରି ନାଟକ କରିଥାଇପାରନ୍ତି, କିନ୍ତୁ ଏତେ ବଡ଼ ବ୍ୟବସ୍ଥା କିପରି ପ୍ରଥମରୁ ଏ ସଂପର୍କରେ ଜାଣି ପାରିଲା ନାହିଁ ଏହା ହିଁ ବଡ଼ ପ୍ରଶ୍ନ?

ବ୍ୟବସ୍ଥା ଉପରେ ପ୍ରଶ୍ନ?
ଫ୍ୟାମିଲି ପ୍ଲାନିଂ କରିଥିଲେ କିପରି ଜାଣିପାରୁନାହାନ୍ତି ସ୍ୱାସ୍ଥ୍ୟକର୍ମୀ?
ଗର୍ଭଧାରଣ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉନି କିଟ୍?
ଗର୍ଭଧାରଣ ସୂଚନା ମିଳିଲେ ଡାକ୍ତରଖାନାରେ କରାଯାଉନାହିଁ କି ଯାଂଚ?

ମାଲକାନଗିରି ସିଡିଏମଓ କହିଛନ୍ତି, ଘଟଣାକୁ ଗୁରୁତର ସହ ନିଆଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମିଳିତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।