ଚିନ୍ତା ବଢ଼ାଉଛି ଟିକାକରଣ କେନ୍ଦ୍ରର ଲମ୍ବା ଧାଡ଼ି । ଉପାନ୍ତରୁ ଉପକୂଳ, ସୀମାନ୍ତରୁ କେନ୍ଦ୍ରସ୍ଥଳ, ସବୁଠୁ ଆସିଲା ଟିକାକରଣକୁ ନେଇ ଲୋକଙ୍କ ଆଗ୍ରହ ଓ ପ୍ରଶାସନର ଅବ୍ୟବସ୍ଥାର ଚିତ୍ର । 

224

କନକ ବ୍ୟୁରୋ : ଦୁଇ ଦିନର ସଟଡାଉନ୍ ପରେ ରାଜ୍ୟର ବିଭିନ୍ନ ଟିକାକରଣରେ ଆଜି ଭିଡ ଦେଖିବାକୁ ମିଳିଛି । କରୋନା ନିଜକୁ ସୁରକ୍ଷିତ ରଖିବା ଓ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ବଢିଥିବା ସଚେତନତା ଏହି ଭିଡ ଜୁଟାଇଛି । ଟିକାକରଣର ଅବ୍ୟବସ୍ଥା ସତ୍ୱେ ଟିକା ନେବାକୁ ଲୋକଙ୍କ ଆଗ୍ରହ, ଉତ୍ସାହ, କରୋନା ବିରୋଧୀ ଲଢେଇ ପାଇଁ ଏକ ସକରାତ୍ମକ ବାର୍ତା ଦେଉଛି । ଉପାନ୍ତରୁ ଉପକୂଳ, ସୀମାନ୍ତରୁ କେନ୍ଦ୍ରସ୍ଥଳ ସବୁସ୍ଥାନରେ ଟିକାକେନ୍ଦ୍ର ଆଗରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

ଉପାନ୍ତରୁ ଉପକୂଳ, ସୀମାନ୍ତରୁ କେନ୍ଦ୍ରସ୍ଥଳ । ସବୁଠି ଉତ୍ସାହ, ସବୁଠି ବ୍ୟଗ୍ରତା । ମହାମାରୀର ମହୋସଧୀ ପାଲଟିଥିବା ଟିକା ପାଇଁ ଲୋକଙ୍କ ମଧ୍ୟରେ ଯେତିକି ସଚେତନତା ରହିଛି, ତାଠୁ ଅଧିକ ଆଗ୍ରହ ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ସବୁ ଚିତ୍ର ସେହି କଥା ହିଁ ବୟାନ କରୁଛି । ଅବ୍ୟବସ୍ଥାରର ଅନେକ କାହାଣୀ ଭିତରେ ଟିକାକରଣର ସକରାତ୍ମକ ଦିଗଟି ହେଉଛି, ଟିକାକରଣକୁ ନେଇ ସାଧାରଣ ଲୋକଙ୍କ ଭିତରେ ସଚେତନା ରହିଛି ।

ଟିକା ଯୋଗାଣ ଏବଂ ଟିକାକରଣରେ ଥିବା ସମସ୍ୟା ସମ୍ପର୍କରେ ସମସ୍ତେ ଜାଣନ୍ତି । କିନ୍ତୁ ଏହାରି ଭିତରେ ଟିକା ନେବା ପାଇଁ ଲୋକ ଆସି ଲାଇନରେ ଠିଆ ହେବା ଏବଂ ଘଂଟା ଘଂଟା ଧରି ଅପେକ୍ଷା କରିବା, ମହାମାରୀ ବିରୋଧୀ ଲଢ଼େଇର ଆଉ ଏକ ଦିଗକୁ ସୂଚାଉଛି । ତେବେ ଟିକାକରଣକୁ ନେଇ ଥିବା ଅହେତୁକ ଆଗ୍ରହ ଭିତରେ କିଛି ସ୍ଥାନରେ କିଛି ଅପ୍ରିତୀକର ସ୍ଥିତି ଦେଖିବାକୁ ମିଳୁଛି ।

ଏପଟେ ଯାଜପୁରରୁ ଆସିିଥିବା ଚିତ୍ର ସମସ୍ତଙ୍କୁ ବିବ୍ରତ କରିଦେଉଛି । କାରଣ, ଟିକାର ନିଅଂଟିଆ ସ୍ଥିତି ଭିତରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ କଥା ଛାଡନ୍ତୁ, ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ମଧ୍ୟ ଠିକରେ ସମ୍ଭବ ହେଉନାହିଁ । ଏପରିକି ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ଦ୍ୱିତୀୟ ଡୋଜ୍ ଟିକା କେବେ ନେବେ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।

ଦୀର୍ଘ ୧୦ ଦିନ କାଳ ଟିକାକରଣ ବନ୍ଦ ରହିବା ପରେ ପୁଣି ଥରେ ଟିକାକରଣ ଆରମ୍ଭ ହୋଇଥିବାରୁ ପୁରୀ କାକଟପୁର ବ୍ଲକର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ସ୍ଥିତି ଏଭଳି ହୋଇଥିଲା ଯେ, ଲୋକ ରାତିରୁ ଟିକା ପାଇଁ ଲାଇନ୍ ଲଗାଇଥିଲେ ।

କିନ୍ତୁ ଏସବୁ ଭିତରେ ଟିକାର ଅଭାବ ଏବଂ ଅନେକ ସମୟରେ ଗ୍ରାମାଞ୍ଚଳରେ ଟିକାକରଣ କେନ୍ଦ୍ର ବନ୍ଦ ରହିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଉଛି । ଲୋକଙ୍କ ଆଗ୍ରହ ଓ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣକୁ ଆହୁରୀ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ।