ମଧ୍ୟପ୍ରଦେଶରେ ୩ ହଜାର କନିଷ୍ଠ ଡାକ୍ତରଙ୍କ ସାମୁହିକ ଇସ୍ତଫା । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ।

592

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ୩ ହଜାର କନିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି । ବିଭିନ୍ନ ଦାବିନେଇ ୩ ଦିନ ପୂର୍ବରୁ ରାଜ୍ୟର ୬ ଟି ସରକାରୀ ମେଡିକାଲ କଲେଜର ଡାକ୍ତର ମାନେ ବିକ୍ଷୋ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ସେମାନଙ୍କୁ ୨୪ ଘଂଟା ଭିତରେ କାର୍ଯ୍ୟରେ ଯୋଗଦେବା ନେଇ ନିର୍ଦ୍ଦେଶ ଦେବା ପରେ ୩ ହଜାର କନିଷ୍ଠ ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି ।

ମଧ୍ୟପ୍ରଦେଶ ଜୁନିୟର ଡାକ୍ତର ଆସୋସିଏସନ (ଜୁଡା) ର ଅଧ୍ୟକ୍ଷ ଅରବିନ୍ଦ ମିଣା କହିଛନ୍ତି କି, ରାଜ୍ୟର ୬ ମେଡିକାଲ କଲେଜର ୩ ହଜାର ଜୁନିୟର ଡାକ୍ତର ବୁଧବାର ଦିନ ସେମାନଙ୍କ ମେଡିକାଲ କଲେଜର ଡିନଙ୍କ ଠାରେ ସାମୁହିକ ଇସ୍ତଫା ପତ୍ର ଦେଇଛନ୍ତି । ସେ କହିଛନ୍ତି କି ରାଜ୍ୟସରକାର ତୃତୀୟ ବର୍ଷ କନିଷ୍ଠ ଠାକ୍ତରଙ୍କ ଏନରୋଲମେଣ୍ଟ ରଦ୍ଧ କରିଦେଇଥିବାରୁ ସେମାନେ ପରୀକ୍ଷାରେ ବସି ପାରିବେ ନାହିଁ । କହିରଖୁ କି ପିଜି କରୁଥିବା ଜୁନିୟର ଡାକ୍ତରମାନଙ୍କୁ ୩ ବର୍ଷରେ ଡିଗ୍ରୀ ମିଳିଥାଏ । ତେଣୁ ରାଜ୍ୟସରକାର ତାଙ୍କ ଏନରୋଲମେଣ୍ଟ ରଦ୍ଧ କରିଦେଇଥିବାରୁ ସେମାନେ ଶେଷବର୍ଷ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଛନ୍ତି । ଏହାସହ ମିଣା କହିଛନ୍ତି କି ମଧ୍ୟପ୍ରଦେଶ ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେମାନେ ସୁପ୍ରିମକୋର୍ଟ ଯିବେ ।

କହିରଖୁ କି ଡାକ୍ତରମାନଙ୍କ ଇସ୍ତଫା ଦେବାର କିଛି ଘଂଟା ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ସୁଜୟ ପାଲଙ୍କ ଖଣ୍ଡପୀଠ ଜୁନିୟର ଡାକ୍ତରଙ୍କ ଧାରଣାକୁ ବେଆଇନ କହିବା ସହ ୨୪ ଘଂଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ କି ଠିକ୍ ସମୟରେ ଡାକ୍ତରମାନେ କାମରେ ଯୋଗ ନଦେଲେ ସେମାନଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ।