ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇନ୍ଦୋର-ପାଟନା ରେଳ ଦୁର୍ଘଟଣା କାହା ସିନ୍ଦୁର ଛଡାଇ ନେଇଛି ତ କାହା କୋଳ ଖାଲି କରିଛି । ହେଲେ ଏହି ଦୁର୍ଘଟଣା ଛଡାଇ ନେଇଛି ଦେଶର ଜଣେ ସଚ୍ଚା ବୀରକୁ । ଯିଏ ପଣ କରିଥିଲା ଶତ୍ରୁଠାରୁ ମାଟିମାଆକୁ ସୁରକ୍ଷା ଦେବ । ସେନା ଅଧିକାରୀ କ୍ୟାପଟେନ୍ ଶୁଭେନ୍ଦୁ ମିଶ୍ର । ଯାହାଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲା କନକ ନ୍ୟୁଜ୍ । ଆଉ ଦେଖିଥିଲା ଆଖିକୁ ବିଶ୍ୱାସ ହେଉନଥିବା ଚିତ୍ରକୁ । ଯେଉଁଠି ପୁଅର ଇଛାକୁ ରଖିବାକୁ ଯାଇ ମାଆ କାନ୍ଦିନଥିଲା, ବିଦାୟ ବେଳରେ ।

Advertisment

ଲାଇନ୍ ଅଫ୍ କଂଟ୍ରୋଲ୍ । ଯେଉଁଠି ବର୍ଷ ବର୍ଷ ଧରି ଶତ୍ରୁ ସହ ଲଢେଇ କରୁଛନ୍ତି ଆମ ଦେଶର ବୀର ଜବାନ୍ । କୁହାଯାଏ, ଏ ଏମିତି ଏକ କ୍ଷେତ୍ର ଯେଉଁଠି ଚାକିରୀକାଳ ଭିତରେ ଥରୁଟିଏ ପାଦ ନପଡିଲେ ସେନା କର୍ମଚାରୀଙ୍କ ମନରେ ଅବଶୋଷ ରହିଯାଏ । ସେମିତି ଏକ ସ୍ୱପ୍ନକୁ କାନ୍ଧରେ ବୋହି ବିପଦର ରାସ୍ତା ଚାଲିବାକୁ ସଂକଳ୍ପ କରିଥିଲେ ଶୁଭେନ୍ଦୁ ମିଶ୍ର ।

vlcsnap-2016-11-22-21h09m29s750ଆଉ ଏ ହେଉଛି ସେହି ଅଧୁରା ସ୍ୱପ୍ନର ଜୁଇ । ଯେଉଁଠି ଜଳୁଛି ୨୪ ବର୍ଷିୟ ଜଣେ ସାହାସୀ ଓଡିଆ ଅଫିସରଙ୍କ ଚିତା । ହେଲେ ଶ୍ମଶାନରେ ଶୁଭୁନି କାନ୍ଦ ବୋବାଳି । କାରଣ ଏ ଲୁହ ପ୍ରତି ଖୁବ୍ ଅଭିମାନ ଥିଲା ଶୁଭେନ୍ଦୁଙ୍କର । ତେଣୁ କାନେ କାନେ ମା’କୁ କହିଥିଲେ ମରିଗଲେ ନକାନ୍ଦିବା ପାଇଁ ।

୨୦୦୫ ମସିହା । ୧୩ ବର୍ଷର ହୋଇଥାନ୍ତି ମେଧାବୀ ଶୁଭେନ୍ଦୁ । ଉଚ୍ଚପଦସ୍ତ କର୍ପୋରେଟ୍ ଅଧିକାରୀଙ୍କ ପୁଅ । ଚାହିଁଥିଲେ ଆଉ କିଛି ହୋଇ ପାରିଥାନ୍ତେ । ହେଲେ ମା’ଙ୍କ ଜିଦ୍ ପୁଅ ଯୋଗ ଦେବ ସେନାବାହିନୀରେ । ଛାତିକୁ ପଥର କରି କୁନି ପୁଅକୁ ଭର୍ତ୍ତି କରାଇଥିଲେ ଡେରାଡୁନସ୍ଥିତ ରାଷ୍ଟ୍ରୀୟ ମିଲିଟାରୀ କଲେଜରେ ।

vlcsnap-2016-11-22-21h09m00s177ଖିର ଲୁହକୁ ଆଖି ଭିତରେ ଆକଟ କରି ପାରିଥିବା ଏ ମା’ଙ୍କ ଇଚ୍ଛା ଥିଲା ଶତ୍ରୁ ସହ ଲଢୁ ଲଢୁ ପୁଅ ସହିଦ୍ ହୋଇଯାଉ । ତେଣୁ ଏପରି ଅକାଳ ମୃତ୍ୟୁକୁ ସେ ଗ୍ରହଣ କରିପାରୁ ନାହାଁନ୍ତି । ତେଣୁ ବିଦାୟ ବେଳାରେ ଭିଜି ଯାଇଛି ତାଙ୍କ ସ୍ୱପ୍ନର ଆଖି ।

ତ୍ରିରଙ୍ଗା ଘୋଡାଇ ହୋଇ ନିଘୋଡ ନିଦରେ ଶୋଇ ପଡିଛନ୍ତି ଶୁଭେନ୍ଦୁ । ହେଲେ ରାତିଅଧରେ ଭାଙ୍ଗି ଯାଇଛି ଏହି ମା’ର ସ୍ୱପ୍ନ । ଯାହାଙ୍କ ଅବୁଝା ପୁଅ ଏବେ ସାଜିଛି ଅଫେରା ବାଟର ବାଟୋଇ ।