ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜିଲା, ରୋଷଣୀ ହେଲା । ସମସ୍ତଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ ହେଲା

ବାଜା ବଜାଇ ବର ଆସିଲା । ବନ୍ଧୁବାନ୍ଧବ ଓ ସାହିପଡୋଶୀ ଆସି ଥିଲେ ବରଯାତ୍ରୀରେ

103

ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜାଇ ବର ଆସିଲା । ବନ୍ଧୁବାନ୍ଧବ ଓ ସାହିପଡୋଶୀ ଆସି ଥିଲେ ବରଯାତ୍ରୀରେ । ସେପଟେ କନିଆ ବଧୂ ବେଶରେ ସଜ ହୋଇ ମନ୍ଦିରରେ ଅପେକ୍ଷା କରି ଥିଲା ତାର ଜନ୍ମ ଜନ୍ମର ସାଥୀକୁ । ଏପରି ଏକ ନିଆରା ବିବାହ ହୋଇଛି ଡିହସାହି, କୈଳପଡା ପଞ୍ଚାୟତର ମଠସାହି ଗ୍ରାମରେ। ସମସ୍ତେ ସାମିଲ ହୋଇ ଦୁଇ ଦିବ୍ୟାଙ୍ଗଙ୍କ ବିବାହ କରାଇଛନ୍ତି । ବର ଓ କନିଆ ଦୁହେଁ ଦୁନିଆର ଆଲୋକ ଦେଖି ପାରୁନଥିବା ବେଳେ ଆଜି ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି । ଗ୍ରାମବାସୀଙ୍କ ଉଦ୍ୟମରେ ଏହି ବିବାହ ଗ୍ରାମର ରାଧାମାଧବ ମନ୍ଦିରରେ ଆୟୋଜନ କରାଯାଇଥିଲା ।

ମଠସାହି ଗ୍ରାମର ସ୍ବର୍ଗତ ଗତିକୃଷ୍ଣ ନାୟକଙ୍କ ପୁଅ ମୁନା ନାୟକଙ୍କ ସହିତ ସେହି ଗ୍ରାମର ଦିବାକର ନାୟକଙ୍କ ଝିଅ ରିନୁ ନାୟକଙ୍କର ବିବାହ ଅନୁଷ୍ଠିତ ହୋଇଛି । ଜନ୍ମର ୩ରୁ ୫ ବର୍ଷ ମଧ୍ୟରେ ଦୁଇଙ୍କ ଠାରେ ଦୃଷ୍ଟିଶକ୍ତି କମିବାର ସମସ୍ୟା ଦେଖାଦେଲା। ଦୁଇ ପରିବାର ପକ୍ଷରୁ ସେମାନଙ୍କ ଚିକିତ୍ସା‌ ପ‌ାଇଁ ଉଦ୍ୟମ କରାଗଲା । ମାତ୍ର ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଧିକ ଚିକିତ୍ସା ହୋଇ ପାରିଲା ନାହିଁ । ଦୁହିଁଙ୍କ ଠାରେ ୬୦ରୁ ୭୦ ପ୍ରତିଶତ ଦୃଷ୍ଟି ଶକ୍ତି ସମସ୍ୟା ରହିଛି । ମୁନା ୯ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ବେଳେ ରିନୁ ମାଟ୍ରିକ ପାସ୍‌ କରିଛନ୍ତି । ଭୁବନେଶ୍ବର ୧ନଂ ମାର୍କେଟରେ ମୁନା ଚାବି ରିଂର ଏକ ଛୋଟ ଦୋକାନ ଦେଇଥିଲେ । ମାତ୍ର କରୋନା ପାଇଁ ତାହା ଏବେ ବନ୍ଦ ହୋଇଯାଇଛି । ଦୁଇ ଜଣଙ୍କ ବିଷୟରେ ପରିବାରର ସଦସ୍ୟ ଚିନ୍ତାରେ ଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ଦୁହିଁଙ୍କ ବିବାହ କରାଇବାକୁ ଯୋଜନା କରିଥିଲେ । ଦୁଇ ପରିବାରର ସଦସ୍ୟଙ୍କ ସହିତ ଏନେଇ ଆଲୋଚନା କରିଥିଲେ । ପ୍ରଥମେ ବର ଓ କନିଆ ଉଭୟଙ୍କୁ ଏ ବିଷୟରେ ପଚରା ଯାଇଥିଲା । ଉଭୟ ବିବାହ କଲେ ସେମାନଙ୍କ ପିଲାଙ୍କ ଠାରେ ବି ଦୃଷ୍ଟିଶକ୍ତି ସମସ୍ୟା ଦେଖାଯିବ ବୋଲି ସେମାନେ ଆଶଙ୍କା କରିଥିଲେ । କିନ୍ତୁ ଏ ବିଷୟରେ ଗ୍ରାମର ମୁରବି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ବାପା ଓ ମା’ଙ୍କ ଦୃଷ୍ଟି ସମସ୍ୟା ଥିଲେ ପିଲାଙ୍କ ଠାରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଡାକ୍ତର କହିଥିଲେ । ଏହାପରେ ଦୁଇଜଣ ବିବାହ କରିବାକୁ ରାଜି ହୋଇଥିଲେ । ଗ୍ରାମର ପ୍ରଦୀପ କୁମାର ବିଶ୍ବାଳ, ଶ୍ରୀକାନ୍ତ ଚୌଧୁରୀ, ମନ୍ଦାକିନୀ ନାୟକ ପ୍ରମୁଖ ବିବାହ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟାଙ୍ଗୀ–ଚୌଦ୍ବାର ପଂଚାୟତ ସମିତି ଉପାଧ୍ୟକ୍ଷ ଜାନକୀ ପରିଡ଼ା ବି ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।