ଲାଲଗଡରେ ବଢୁଛି ଲାଲବାହିନୀର ଅତ୍ୟାଚାର । ମୋବାଇଲ ଧରିଲେ ମାଡ, ବଜାରକୁ ଆସିଲେ ପୋଲିସ ଇନଫର୍ମର ସନ୍ଦେହରେ ଦିଆଯାଉଛି ନିର୍ଯ୍ୟାତନା । ଭୟରେ ଗାଁ ଛାଡିଲେ ୬ ଆଦିବାସୀ ପରିବାର ।

633

କନକ ବ୍ୟୁରୋ : ଲାଲଗଡରେ ବଢୁଛି ଲାଲବାହିନୀର ଅତ୍ୟାଚାର । ସମାନ୍ତରାଳ ଶାସନ ଭିତରେ ବଳି ପଡୁଛନ୍ତି ନିରୀହ ଲୋକେ । ମାଓବାଦୀଙ୍କ ନାଲିଆଖିରେ ଅସହ୍ୟ ଜୀବନ । ଅତିଷ୍ଠ ହୋଇପଡିଛନ୍ତି ଆଦିବାସୀ । ନକ୍ସଲ କବଳରୁ ଜୀବନ ବଞ୍ଚାଇବା ଆଶାରେ ଭିଟାମାଟି ଛାଡି ଦେଇଛନ୍ତି ମାଓ ଇଲାକାର ୬ ଆଦିବାସୀ ପରିବାର । ପିଲା ଛୁଆଙ୍କୁ ଧରି ଅନ୍ୟତ୍ର ରହିବାକୁ ନିଷ୍ପତି ନେଇଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଏବଂ କେରମେଟି ଗାଁର ୬ ଆଦିବାସୀ ପରିବାର ।

ମୋବାଇଲ ଧରିଲେ ମାଡ । ବଜାର ଆସିଲେ ପୋଲିସ ଇନଫର୍ମର ଭାବେ ସନ୍ଦେହ କରି ମାଡ । ପେଟ ପାଇଁ ମୁଲ ଲାଗିବାକୁ ଗଲେ ବି ଛାଡୁନାହାନ୍ତି ମାଓବାଦୀ । ବଜାରକୁ ଯାଇ ପୁଲିସକୁ ତଥ୍ୟ ଦେଉଥିବା କହି ମାଡ ମାରୁଛନ୍ତି ମାଓବାଦୀ । ସବୁ ଦିନ ମରି ମରି ବଂଚିବା ଅପେକ୍ଷା ସବୁ ଦିନ ପାଇଁ ନିଜ ଭିଟାମାଟି ଛାଡି ଦେଇଛନ୍ତି ୬ ପରିବାର । ମାଓ ଇଲାକାରେ ଜୀବନ ଜିଇଁବାକୁ ହେଲେ କେତେ ଯେ କଷ୍ଟ ସହିବାକୁ ହୁଏ ତାହା ଏହି ୬ ଆଦିବାସୀ ପରିବାରଠାରୁ କିଏ ବା ଅଧିକ ଜାଣିବ ।

ଗାଁରେ ରହୁଥିଲେ । ହେଲେ, ପରିବାର ପାଇଁ ନୁହେଁ । କୁଲି କରି ପିଲାଙ୍କ ପାଇଁ ଆଣୁଥିବା ଦାନାରୁ ଅଧା ନେଇଯାଆନ୍ତି ମାଓବାଦୀ । ପରିବାର ପଛେ ଉପାସ ରୁହନ୍ତୁ କିନ୍ତୁ ଚାଉଳ ଓ ପନିପରିବା ନେବେ ନକ୍ସଲ । ନଦେଲେ ବଢିବ ମାଓବାଦୀଙ୍କ ଅତ୍ୟାଚାର । ବର୍ଷ ବର୍ଷ ଧରି ଏମିତି ଜୀବନ ଜିଇଁବା କଷ୍ଟକର ହେବାରୁ ଗାଁ ଛାଡିଛନ୍ତି ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଏବଂ କେରମେଟି ଗାଁର ୬ ଆଦିବାସୀ ପରିବାର । ଗାଁ ଛାଡି ପିଲା ଛୁଆଙ୍କୁ ଧରି ମାଥିଲି ସଦର ନିକଟ ଗାଙ୍ଗରାଜଗୁମ୍ମା ଜଙ୍ଗଲ ପାଖ ଚାଷ ଜମିରେ୍ କୁଡିଆ କରି ଆଶ୍ରୟ ନେଇଛନ୍ତି ଏମାନେ । କିନ୍ତୁ ନାଁ ଖାଇବା ପାଇଁ ଅର୍ଥ ଅଛି ନା ଚାଷ କରିବାକୁ ଚାଷଜମି । ମାଓଗଡ ଛାଡିବା ପରେ ଏଭଳି ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ୬ ଆଦିବାସୀ ପରିବାର । ତେବେ ନକ୍ସଲ ଭୟରେ ଗାଁ ଛାଡିଥିବା ପରିବାରଙ୍କୁ ଥଇଥାନ କରିବା ସହ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମାଥିଲି ବିଡିଓ ।

ଲାଲବାହିନୀର ନାଲି ଆଖିରୁ ବର୍ତିବା ପାଇଁ ତୁଳସୀ ଓ କେରମେଟି ଗାଁର ଅଧିକାଂଶ ପରିବାର ଗାଁ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ନକ୍ସଲଙ୍କ ଅତ୍ୟାଚାରରେ ଅତିଷ୍ଠ ଲୋକେ କେତେ ଦିନ ଏହିଭଳି ଗାଁ ଛାଡିବେ? ଅନ୍ୟ ସ୍ଥାନରେ ଯେ ସେମାନେ ସୁରକ୍ଷିତ, ଏହି ଗ୍ୟାରେଂଟି କିଏ ଦେବ? ଭିଟାମାଟି ଛାଡୁଥିବା ଏହି ଲୋକମାନଙ୍କ ଦାୟିତ୍ୱ ପ୍ରଶାସନର ନୁହେଁ କି?