କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର : ପୋଲିସ ଇନଫର୍ମରମାନଙ୍କୁ ଦିଆଗଲା ଚେତାବନୀ

75

କନକ ବ୍ୟୁରୋ : କନ୍ଧମାଳରେ ମାଓ ପୋଷ୍ଟର । ବେଲଘର ଥାନା ଝିରିପାଣି ଗାଁରେ ବିଜିଏନ ମାଓ ଡିଭିଜନ ପକ୍ଷରୁ ହାତଲେଖା ପୋଷ୍ଟର ମରାଯାଇଛି । ଏହି ପୋଷ୍ଟରରେ ପୋଲିସ ଇନଫର୍ମରମାନଙ୍କୁ ଚେତାବନୀ ଦିଆଯାଇଛି । ଖୁବଶୀଘ୍ର ସେମାନେ ଜନ ଅଦାଲତରେ ଆତ୍ମସମର୍ପଣ କରନ୍ତୁ ନ ହେଲେ ଗତ ୨୯ ତାରିଖରେ ଦିନଶଙ୍କର ଓ ହେମନ୍ତ, ଦୁଇ ଯୁବକଙ୍କୁ ଯେଭଳି ମୃତ୍ୟୁଦଣ୍ଡ ଦିଆଗଲା ସେହିଭଳି ଦଣ୍ଡ ସେମାନଙ୍କୁ ମଧ୍ୟ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏଥିପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀମାନେ ଦାୟୀ ରହିବେ ବୋଲି ଉଲ୍ଲେଖ ରହିଛି ।

ଗତ ୧୯ ଦିନ ତଳେ ଭଣ୍ଡରଙ୍ଗି ପଞ୍ଚାୟତରେ ଦୁଇ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିଲେ। ଏଥି ସହ ଛାଡ଼ି ଯାଇଥିବା ପୋଷ୍ଟରରେ ଗଣ୍ଡ ସମାଜ ଯୁବକଙ୍କୁ ଚେତାବନୀ ଦେବା ସହ ଦୁଇ ଜଣଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ପୋଷ୍ଟରକୁ ନେଇ ଗ୍ରାମବାସୀ ଏକପ୍ରକାର ଭୟଭୀତ ଥିଲେ। ଆଜି ପୁଣି ବେଲଘର ଥାନା ଝିରିପାଣି ଗାଁ ର ବିଭିନ୍ନ ସ୍ଥାନରେ ନୀଳ ଓ ଲାଲ୍‌ ହାତ ଲେଖା ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟର ଉପରି ଭାଗରେ ‘ପ୍ରଚାର ମ୍ୟାଟର୍‌’ ଲେଖା ଥିବା ବେଳେ ତଳେ ଭଣ୍ଡରଙ୍ଗିର ଶଙ୍କର ଓ ଗୋଛାଗୁଡ଼ାର ହେମନ୍ତକୁ ମୃତୁ ଦଣ୍ଡ ଦିଆଗଲା କାହିଁକି ସେ ସଂପର୍କରେ ଲେଖାଯାଇଛି। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍କୀ ଜଙ୍ଗଲରେ ଗତ ସେପ୍ଟେମ୍ବର ମାସରେ ପୁଲିସ ଏନ୍‌କାଉଣ୍ଟରରେ ଚାରି ସାଥିଙ୍କ ମୃତ୍ୟୁ ଘଟଣାରେ ଏ ଦୁହେଁ ପୁଲିସକୁ ସୂଚନା ଦେଇ ଟଙ୍କା ଆଣିଥିବା ଉଲ୍ଲେଖ କରିଛନ୍ତି। ଏହା ସହ ଆହୁରି ବହୁ ବ୍ୟକ୍ତି ପୁଲିସ ଇନଫର୍ମର ଥିବା କହିବା ସହ ଜନ ଅଦାଲତରେ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛନ୍ତି।
ପୂର୍ବରୁ ଗଣ୍ଡ ସମାଜ ଯୁବକ ଓ ସ୍ଥାନୀୟ ସରପଞ୍ଚଙ୍କ ନାମ ଲେଖି ଚେତାବନୀ ଦେଇଥିବା ବେଳେ ପୁଣି ଆଜି ପୋଷ୍ଟରରେ ଗଣ୍ଡ ସମାଜ ପିଲାଙ୍କୁ ସଂସ୍କୃତି ଓ ସମାଜକୁ ବଞ୍ଚାଇବା ପାଇଁ ଭୁଲ ବାଟରେ ଯାଉଥିବା ପିଲାମାନଙ୍କୁ ସୁଧାରି ଠିକ ବାଟରେ ଆସନ୍ତୁ ବୋଲି ଚେତାବନୀ ଦେଇଛନ୍ତି। ଏହି ପୋଷ୍ଟର  ଲାଗିବା ପରେ ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ପୂର୍ବରୁ ଗଣ୍ଡ ସମାଜକୁ ନେଇ ମାଓବାଦୀ ପୋଷ୍ଟରେ ଚେତାବନୀକୁ ନେଇ ସମାଜ ସଭାପତି  ଓ  ପୂର୍ବତନ ବିଧାୟକ, ବ୍ଲକ ଅଧ୍ୟକ୍ଷ, ତିନି ପଞ୍ଚାୟତର ସରପଞ୍ଚ ପ୍ରତିକ୍ରିୟା ରଖିଥିଲେ।  ପୁଣି ମାଓବାଦୀଙ୍କ ଏଭଳି ଚେତାବନୀକୁ ନେଇ ଭଣ୍ଡରଙ୍ଗି, ଝିରିପାଣି, ଲଙ୍କାଗଡ଼ ଓ ବେଲଘର ଅଞ୍ଚଳରେ ଲୋକେ ପୁଣି ଆତଙ୍କିତ ହେବା ସହ ସନ୍ଧ୍ୟା ହେଲେ କେହି ବାହରକୁ ବାହାରିବାକୁ ସାହସ କରୁନାହାନ୍ତି।