ବିଶ୍ୱକପକୁ ଆଉ ମାତ୍ର ୧୭ ଦିନ । ବରିଷ୍ଠ ଖେଳାଳୀଙ୍କ ମତ, ପନ୍ଥ ଥିଲେ ଆହୁରି ଶକ୍ତିଶାଳୀ ହୋଇଥାଆନ୍ତା ଭାରତ । ଚର୍ଚ୍ଚା ଅମୂଳକ, କାର୍ତ୍ତିକ ବି କିଛି କମ୍ ନୁହନ୍ତି ।

349

କନକ ବ୍ୟୁରୋ : ୨୦୧୯ କ୍ରିକେଟ୍ ବିଶ୍ୱକପକୁ ଆଉ ମାତ୍ର ୧୭ ଦିନ ବାକି ରହିଛି । ତେବେ ବିଶ୍ୱକପ ପୂର୍ବରୁ ପୁଣି ଥରେ ଯୁବ ତାରକା ଋଷଭ ପନ୍ଥଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି । ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ତାରକା ଋଷବ ପନ୍ତ ଚଳିତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।  ୧୬ ମ୍ୟାଚ୍‌ରୁ ୧୬୨.୬୬ ଷ୍ଟ୍ରାଇକ୍ ରେଟ୍‌ରେ ସେ ୪୮୮ ରନ୍ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଆଇପିଏଲ୍-୧୨ର ଶ୍ରେଷ୍ଠ ୧୦ ରନ୍ ସଂଗ୍ରହକାରୀ ମଧ୍ୟରେ ରହିଥିବା ପନ୍ତ ୩ ଅର୍ଧଶତକ ହାସଲ କରିଥିଲା ବେଳେ ୩୭ ଚୌକା ଓ ୨୭ ଛକା ମାରିଛନ୍ତି । ତା’ ସହ ତାଙ୍କୁ ଲଣ୍ଡନ ବିଶ୍ୱକପ୍ ପାଇଁ ଘୋ‌ଷିତ ଭାରତୀୟ ଦଳରେ ସ୍ଥାନ ଦେବାକୁ ଦାବି ଜୋର ଧରିଛି । ବିଶ୍ୱକପ୍ ଲାଗି ଭାରତ ୧୫ ଜଣିଆ ଦଳ ଘୋଷଣା କରି ସାରିଛି । ‌ଏବେବି କିନ୍ତୁ ସେହି ଦଳରେ ଅଦଳ ବଦଳ କରିବାର ସମୟ ଅଛି । କାରଣ ଈଶାନ୍ତ ଶର୍ମାଙ୍କ ସହ ପନ୍ତ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ଷ୍ଟାଣ୍ଡବାଏ ରହିଛନ୍ତି । ସେପଟେ ଋଷଭ ପନ୍ଥଙ୍କ ବିଶ୍ୱକପ ଦାବିଦାରକୁ ନେଇ ଅନେକ ଅନ୍ତର୍ଜାତୀୟ ତାରକାଙ୍କ ସମେତ ଘରୋଇ କ୍ରିକେଟରମାନେ ମଧ୍ୟ ମତ ରଖିଛନ୍ତି ।

ଅଭିଜ୍ଞତାରେ କାର୍ତିକ ଆଗୁଆ :

ପନ୍ତ ବିସ୍ଫୋରକ ବ୍ୟାଟିଂ ସହ ୱିକେଟ୍ ରକ୍ଷଣ ମଧ୍ୟ କରନ୍ତି । ହେଲେ ସମ୍ଭବତଃ ଏହି ୱି‌କେଟ୍ ରକ୍ଷଣ କଳା ହିଁ ତାଙ୍କ ବିଶ୍ୱକପ୍ ଖେଳିବାରେ ମୁଖ୍ୟ ପ୍ରତିବନ୍ଧକ ସାବ୍ୟସ୍ତ ହୋଇଛି । ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ଭାରତୀୟ ବିଶ୍ୱକପ୍ ଦଳରେ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଭାବେ ସ୍ଥାନ ପାଇଛନ୍ତି । ସଂରକ୍ଷିତ ୱିକେଟ୍ ରକ୍ଷକ ପଦ ଦୀନେଶ କାର୍ତିକଙ୍କୁ ଯାଇଛି । ପନ୍ତ ସୁଯୋଗ ପାଇଲେ ଦଳରେ ୱିକେଟ୍ ରକ୍ଷକ ସଂଖ୍ୟା ୩ରେ ପହଞ୍ଚିବ । ଯାହା ଚୟନକର୍ତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ପନ୍ତଙ୍କ ୱିକେଟ୍ ରକ୍ଷଣ ଦକ୍ଷତା ନେଇ ବି ପ୍ରଶ୍ନ ରହିଛି ।  ସେହିଭଳି ଚୟନକର୍ତା ତାଙ୍କୁ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେବା ନେଇ ପଛଘୁଞ୍ଚା ଦେଉଛନ୍ତି । ତାଙ୍କୁ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେଲେ କିନ୍ତୁ ଭାରତ ଲାଭବାନ ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ ମତ ଦିଅନ୍ତି । ଧୋନିଙ୍କ ବାଦ୍ ଯଦି ଦୀନେଶ କାର୍ତିକ ଏବଂ ପନ୍ତଙ୍କ ମଧ୍ୟରେ ତୁଳନା କରାଯାଏ, ତାହାଲେ କାର୍ତିକ ଅଭିଜ୍ଞତାରେ ଆଗୁଆ ରହିବେ । ୨୦୦୪ରେ ଖେଳ ଜୀବନ ଆରମ୍ଭ କରିଥିବା କାର୍ତିକ ୨୬ ଟେଷ୍ଟ ଖେଳି ୨୫ ହାରରେ ୧୦୨୫ ରନ୍ କରିଛନ୍ତି । ସେ ୪୦ କ୍ୟାଚ୍ ନେଇଥିଲା ବେଳେ ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପିଂ କରିଛନ୍ତି । ଦିନିକିଆ କ୍ରିକେଟ୍‌ରେ କାର୍ତିକ ୯୧ ମ୍ୟାଚ୍ ଖେଳି ୩୧.୦୩ ହାରରେ ୧୭୩୮ ରନ୍ କରିଛନ୍ତି । ସେହିଭଳି ୩୨‌ ଟ୍ୱେଣ୍ଟି-୨୦ରେ ତାଙ୍କ ରନ୍ ସଂଗ୍ରହ ହାର ହେଉଛି ୩୩.୨୫ । ଦିନିକିଆରେ ୭ ଷ୍ଟମ୍ପିଂ ଓ ୬୧ କ୍ୟାଚ୍ ନେଇଛନ୍ତି । ଟ୍ୱେଣ୍ଟି-୨୦ରେ ସେ ୧୫ କ୍ୟାଚ୍ ନେଇଥିଲା ବେଳେ ୫ ଷ୍ଟମ୍ପିଂ କରିଛନ୍ତି ।  ଅନ୍ୟପକ୍ଷରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ପନ୍ତ ୯ ଟେଷ୍ଟରୁ ୪୯.୭୧ ହାରରେ ୬୯୬ ରନ୍ କରିଛନ୍ତି । ସେ ଦୁଇଟି ଟେଷ୍ଟ ଶତକ ଅର୍ଜନ କରିଛନ୍ତି । ଷ୍ଟମ୍ପ ପଛରେ ପନ୍ତ ୪୨ ଜଣଙ୍କୁ ଆଉଟ୍ କରିଛନ୍ତି । ସେଥିମଧ୍ୟରେ ଦୁଇଟି ଷ୍ଟମ୍ପିଂ ରହିଛି । ସୀମିତ ଓଭର କ୍ରିକେଟ୍‌ରେ ସେ ସେତେଟା ସୁଯୋଗ ପାଇ ନାହାନ୍ତି । ୨୮.୨୫ ହାରରେ ୯୩ ରନ୍ କରିଥିଲା ବେଳେ ୫ କ୍ୟାଚ୍ ନେଇଛନ୍ତି । ୧୫ ଟ୍ୱେଣ୍ଟି-୨୦ରେ ସେ ୧୯.୪୧ ହାରରେ ୨୩୩ ରନ୍ କରିଥିଲା ବେଳେ ମାତ୍ର ତିନିଟି କ୍ୟାଚ୍ ନେଇଛନ୍ତି । ଧୋନିଙ୍କ ଭଳି କିନ୍ତୁ ନିଶ୍ଚିତ ଭାବେ କାର୍ତିକଙ୍କ ତୁଳନାରେ ପନ୍ତ ଜଣେ ଭଲ ଫିନିସର । ଯାହା ତାଙ୍କ ଆଇପିଏଲ୍ ପ୍ରଦର୍ଶନରୁ ପ୍ରମାଣିତ ହୋଇଛି ।

ସେପଟେ ଋଷଭ ପନ୍ଥଙ୍କୁ ସେହୱାଗଙ୍କ ସହ ତୁଳନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର । ସେ କହିଛନ୍ତି, ଋଷବ ପନ୍ତ ଆଜିକା ପିଢ଼ିର ବୀରେନ୍ଦ୍ର ସେହବାଗ । ତାଙ୍କୁ ଅଲଗା ବ୍ୟବହାର ମିଳିବା ଦରକାର । ପନ୍ତଙ୍କୁ ତାଙ୍କ ସ୍ୱାଭାବିକ ଖେଳ ଖେଳିବାକୁ ଦିଆଯାଉ । ଆପଣ ତାଙ୍କୁ ଦଳରେ ନିଅନ୍ତୁ କି ନ ନିଅନ୍ତୁ, କେବେବି ବଦଳିବାକୁ କୁହନ୍ତୁ ନାହିଁ ।

ସେହିପରି ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ମଧ୍ୟ ଋଷଭ ପନ୍ଥଙ୍କ ସପକ୍ଷରେ ମତ ରଖିଛନ୍ତି । ସେ କହିଛନ୍ତି, ମୁଁ ଭାରତୀୟ ଚୟନକର୍ତା ହୋଇଥିଲେ ପନ୍ତଙ୍କୁ ପ୍ରଥମେ ଦଳରେ ରଖି ଥାଆନ୍ତି । ମୁଁ ତାଙ୍କୁ ୪ ନମ୍ବରରେ ଖେଳାଇ ଥାଆନ୍ତି । ସେ ଏମିତି ଜଣେ ଖେଳାଳି, ଯିଏ ଆପଣଙ୍କୁ ବିଶ୍ୱକପ୍ ଦେଇ ପାରିବେ । ତାଙ୍କ ପାଖରେ ସେହି ଅତିରିକ୍ତ ପ୍ରତିଭା ରହିଛି । ଆଇପିଏଲ୍‌ରେ ଏକାଧିକ ଥର ସେ ଏହାର ପ୍ରମାଣ ଦେଇସାରିଛନ୍ତି ।