କନକ ବ୍ୟୁରୋ: କିଏ କହେ ତାଙ୍କୁ ହୃଦୟର ହିରୋ, କିଏ କହେ କରୋନା ବେଳର ମସିହା, ତ ଆଉ କିଏ କହେ ଶ୍ରମିକଙ୍କ ଭଗବାନ । ସାଉଥ୍ ଫିଲ୍ମରୁ ନିଜର ପରିଚୟ ତିଆରି କରିଥିବା ସୋନୁ ସୁଦ୍ ଏବେ ଫ୍ୟାନ୍ସଙ୍କ ମଧ୍ୟରେ କେବଳ ଜଣେ ଫିଲ୍ମ ଷ୍ଟାର ନୁହେଁ ବରଂ ଦୁଖୀ ଦରିଦ୍ରଙ୍କ ଦରଦୀ ବନ୍ଧୁ ଭାବେ ବେଶ୍ ପରିଚିତ । ଅସହାୟଙ୍କ ଆପଣାର ମଣିଷ ସୋନୁ ସୁଦଙ୍କର ଆଜି ହେଉଛି ଜନ୍ମଦିନ । ସୋନୁଙ୍କ ବିଷୟରେ ଆପଣ ଅଳ୍ପ ବହୁତେ ଜାଣିଥିବେ କିନ୍ତୁ ଆମେ ଆପଣଙ୍କୁ ସୋନୁଙ୍କ ବାବଦରେ କିଛି ଏମିତି କାହାଣୀ କହିବୁ ଯାହାକୁ ଶୁଣିବା ପରେ ସୋନୁଙ୍କ ପ୍ରତି ଆପଣଙ୍କ ଭଲ ପାଇବା ଓ ସମ୍ମାନ ଆହୁରି ବଢ଼ିଯିବ ।...

Advertisment

ସୋନୁ ସୁଦ... ଯେବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ତାଙ୍କ ପାଖରେ ମାତ୍ର ୫ ହଜାର ଟଙ୍କା ଥିଲା । ସେତିକି ଟଙ୍କା ଧରି ବଲିଉଡର ନିଜର ଭାଗ୍ୟ ପରୀକ୍ଷା କରିବାକୁ ସେ ସ୍ୱପ୍ନର ମାୟାନଗରୀ ମୁମ୍ବାଇକୁ ଚାଲିଆସିଲେ । ‘ଶହୀଦ-ଏ-ଆଜମ୍’ରୁ ବଲିଉଡ ଡେବ୍ୟୁ କରି ଭଗତ ସିଂଙ୍କ ଭୂମିକାରେ ନଜର ଆସିଥିଲେ ସୋନୁ । କିନ୍ତୁ କ୍ୟାରିୟର ଆରମ୍ଭରୁ ବଲିଉଡର ସେମିତି କିଛି ସଫଳତା ପାଇନଥିଲେ ସୋନୁ । ପରେ ସାଉଥ ସିନେମାରେ ନିଜର ଦମଦାର ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ପ୍ରଭାବିତ କରିଥିଲେ । ହେଲେ ରୋଚକ କଥା ହେଲା ସୋନୁ ଯଦି ଅଭିନୟ ଦୁନିଆକୁ ଆସିନଥାନ୍ତେ ଆଜି କୌଣସି ବଡ଼ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥାନ୍ତେ ବୋଲି କହିଛନ୍ତି ଖୋଦ ସୋନୁ ସୁଦ୍ ।

ସୋନୁ ନିଜର ପ୍ରଥମ ତାମିଲ ଫିଲ୍ମ ‘କାଲ୍ଲାଝାଗର’ରେ ପୂଜାରୀ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଯାହାଫଳରେ ଧିରେ ଧିରେ ବଲିଉଡ ଦୁନିଆର ବାଟ ସୋନୁଙ୍କ ପାଇଁ ଫିଟିବାରେ ଲାଗିଲା । ଏହାପରେ ‘ଜିନ୍ଦେଗୀ ଖୁବସୁରତ ହେ’ କାହାଁ ହୋ ତୁମ୍, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମିଶନ ମୁମ୍ବାଇ ଭଳି ଚର୍ଚ୍ଚିତ ଫିଲ୍ମରେ ଯୁବପୀଢ଼ିଙ୍କ ମନକୁ ଛୁଇଁଗଲେ ସୋନୁ । ପରେ ‘ଯୋଦ୍ଧା ଅକବର’ ସିଂ ଇଜ୍ କିଙ୍ଗ୍, ‘ଏକ ବିବାହ ଏସା ଭି’ ସୋନୁଙ୍କ ହିଟ୍ ଫିଲ୍ମ ଭାବେ ଚର୍ଚ୍ଚାରେ ରହିଥିଲା । ହେଲେ ସଲମାନ ଖାନଙ୍କ ଦବଙ୍ଗ ଫିଲ୍ମରେ ଛେଦୀ ସିଂ କ୍ୟାରେକ୍ଟର ସୋନୁଙ୍କ ଲୋକପ୍ରିୟତା ବଲିଉଡରେ ଦୁଇଗୁଣା କରିଥିଲା ।

ସୋନୁ କେବଳ ଜଣେ ସିନେ କଳାକାର ନୁହେଁ ବରଂ ସଙ୍କଟ ବେଳର ସାଥୀ ଭାବେ ବେଶ୍ ପରିଚିତ । କରୋନା କାଳରେ ଯେବେ ଦେଶର କୋଣ ଅନୂକୋଣରେ ଲୋକେ ଘରୁ ବାହାରି ପାରୁନଥିଲେ । ସେତେବେଳେ ପ୍ରବାସୀ ଶ୍ରମିକଙ୍କଠୁ ଅସହାୟଙ୍କ ପାଇଁ ଭଗବାନ ପାଲଟିଥିଲେ ସୋନୁ । ଅନେକ ଅସହାୟଙ୍କୁ ଆପଣା ଲୋକଙ୍କଠୁ ବଳି ସାହାଯ୍ୟ କରି ସାଜିଥିଲେ ଶ୍ରମିକଙ୍କ ସଙ୍କଟମୋଚକ । ସେଥିପାଇଁ ତ କିଏ ତାଙ୍କୁ ଠାକୁର ଘରେ ପୂଜା କଲା ତ କିଏ ତାଙ୍କ ନାଁରେ ନିଜର ନବଜାତ ଶିଶୁଙ୍କ ନାଁକୁ ରଖିଥିଲା । ଆଉ କିଏ ତାଙ୍କ ଫଟୋକୁ ଦେହରେ ଟାଟୁ କରି ନିଜର ଭଲପାଇବା ଜାହିର କରିଥିଲେ । ଏବେ ଫିଲ୍ମ ଦୁନିଆରେ ଭିଲେନ୍ ସାଜିଥିବା ଏହି କଳାକାର ଏବେ ପ୍ରତିଟି ଭାରତୀୟଙ୍କ ହୃଦୟର ହିରୋ ଭାବେ ଜଣାଶୁଣା । ଆଜି ତାଙ୍କ ଜନ୍ମଦିନରେ ଆମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ।