କନକ ବ୍ୟୁରୋ: ଅଲିମ୍ପିକ୍ସର ଷଷ୍ଠ ଦିନରେ ଭାରତ ପାଇଁ ଆସିଛି ଖୁସି ଖବର। ସୁଟିଂରେ ମନୁ ଭାକର ଆଉ ଏକ ପଦକ ଆଶା ଉଜ୍ଜୀବିତ ରଖିଥିବା ବେଳେ ହକିରେ ଭାରତକୁ ମିଳିଛି ଐତିହାସିକ ବିଜୟ। ଭାରତୀୟ ସୁଟର ମନୁ ମହିଳା ୨୫ ମିଟର ପିସ୍ତଲ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। କ୍ବାଲିଫିକେସନରେ ମୋଟ ୫୯୦ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ମନୁ। ମନୁ ପ୍ରିସିଜନ ରାଉଣ୍ଡରେ ୨୯୪ ଏବଂ ରାପିଡରେ ୨୯୬ ଫଏଣ୍ଟ ହାସଲ କରିଛନ୍ତି। ସେହିପରି ଇଭେଣ୍ଟରେ ଭାରତର ଅନ୍ୟତମ ସୁଟର ଈଶା ସିଂ ୧୮ତମ ସ୍ଥାନରେ ରହି ନିରାଶ କରିଛନ୍ତି। ଭାରତୀୟ ସମୟ ଅନୁସାରେ, ଅପରାହ୍ଣ ଗୋଟାଏରେ ଫାଇନାଲ୍ ମୁକାବିଲା ଖେଳାଯିବ। ପୂର୍ବରୁ ମନୁ ୧୦ ମିଟର ଏୟାର ପିସ୍ତଲ ଏବଂ ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିସାରିଛନ୍ତି। ସେହିପରି ହକିରେ ମଧ୍ୟ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ଗ୍ରୁପ-ବି’ର ଶେଷ ଲିଗ୍ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଛି ଭାରତ। ଏଥିସହ ଭାରତ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବାର ସୌଭାଗ୍ୟ ଅର୍ଜନ କରିଛି। ତେବେ ଆର୍ଚେରୀରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ମିକ୍ସଡ ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ଆମେରିକାଠାରୁ ପରାସ୍ତ ହୋଇଛି ଭାରତ।