ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେବେ ଜାତୀୟ କ୍ରିକେଟର ମନୋଜ ତିୱାରୀ । ହୁଗୁଲିରେ ହେବାକୁ ଥିବା ରାଲିରେ ମମତାଙ୍କ ଉପସ୍ଥିତିରେ ଯୋଗଦେବା ନେଇ ସୂଚନା

176

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ଓ ନୁଆ ଚେହେରା ବିଭିନ୍ନ ରାଜନୈତିକ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଜାତୀୟ କ୍ରିକେଟର ମନୋଜ ତିୱାରୀ ଆଜି ଟିଏମସିରେ ଯୋଗ ଦେବା ନେଇ ସୂଚନା ମିଳିଛି । ଆଜି ହୁଗୁଲି ଜିଲ୍ଲାର ଚିନସୁରରେ ହେବାକୁ ଥିବା ରାଲି ବେଳେ ମନୋଜ ତିୱାରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇ ପାରନ୍ତି ।
ସୂଚନା ଥାଉକି, ମନୋଜ ତିୱାରୀ ଭାରତୀୟ ଦଳ ପାଇଁ ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟରେ ପ୍ରତିନିଧିତ୍ୱ କରିସାରିଛନ୍ତି । ହେଲେ ଏହି ୩୫ ବର୍ଷୀୟ କ୍ରିକେଟରଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଏକ ପ୍ରକାର ଶେଷ ହୋଇ ସାରିଛି । ତାଙ୍କୁ ଅନେକ ବାର ଭାରତୀୟ ଦଳରେ ସାମିଲ କରାଯାଇଥିଲେ ବି କେତେବେଳେ ଆହତ ସମସ୍ୟା ତ କେତେବେଳେ ଅସୁସ୍ଥତା କାରଣରୁ ସେ ଚୁଡାନ୍ତ ଏକାଦଶରୁ ବାଦ ପଡିଛନ୍ତି । ତେଣୁ କ୍ରିକେଟରେ ତାଙ୍କୁ ଜଣେ ହତଭାଗା ଖେଳାଳି ଭାବେ ଗଣାଯାଉଛି । ହେଲେ ତାହାରି ମଧ୍ୟରେ ସେ ଅନ୍ତର୍ଜାତୀୟ ସ୍ତରରେ ୧୨ ଟି ଦିନିକିଆ ଓ ଗୋଟିଏ ଟି-୨୦ ଖେଳିଛନ୍ତି । ବର୍ତ୍ତମାନ ସେ କୋଲକତା ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି ।

କହିରଖୁ କି ଆଜି ନିର୍ବାଚନ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ହେଲେ ତାହା ପୂର୍ବରୁ ବିଶେଷ ଭାବେ ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ବେଶ୍ ସରଗରମ ହେବାରେ ଲାଗିଛି । ମମତାଙ୍କ ହାତଛାଡି ଅନେକ ବରିଷ୍ଠ ନେତା ଏବେ ବିଜେପିରେ ଯୋଗ ଦେଉଥିବା ବେଳେ ମନୋଜ ତିୱାରୀଙ୍କ ଭଳି ଜଣେ ଅନଭିଜ୍ଞ ରାଜନେତା ମମତାଙ୍କ ପାଇଁ କେତେ ଫଳପ୍ରଦ ହେବେ ତାହା ସମୟ କହିବ ।