କନକ ବ୍ୟୁରୋ : ସୀମା ବିବାଦକୁ ନେଇ କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ ହୋଇଥିବା ବେଳେ ବଡ ବୟାନ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, କୋଟିଆକୁ ନେଇ ବିଜେପିର ମନ ଓ ମତ ସ୍ପଷ୍ଟ । ମୁଁ ରାଜସ୍ୱ ବିଭାଗର ମନ୍ତ୍ରୀ ଥିଲି, ୧୯୬୮ ମସିହାରେ ଯେଉଁ କେସ ହୋଇଥିଲା ତାହାର ତର୍ଜମା କରିଥିଲୁ ଏବଂ କେସ ଲଢୁଥିଲୁ । ସେତେବେଳେ ଠିକ ଦିଶା ଦର୍ଶନ କରିଥିଲୁ, ତାହାର ଫଲୋଅପ କରିବା ସରକାରଙ୍କ ଦାୟିତ୍ୱ । କିନ୍ତୁ ୧୪ ବର୍ଷ ହେଲା ଓଡିଶା ସରକାର ଏଥିରେ ହେଳା କରିଛନ୍ତି । ସରକାର କେବଳ ପ୍ରଚାର ଓ ଘୋଷଣା ସର୍ବସ୍ବ ହୋଇ ରହିଗଲେ । ସେଠାରେ କାର୍ୟ୍ୟକ୍ରମ ଓ ଲୋକଙ୍କ ସହିତ ଆତ୍ମୀୟତା କମିଗଲା । ସରକାରଙ୍କ ଦୃଢ଼ତା ରହିଲା ନାହିଁ ।

Advertisment

ଓଡ଼ିଶାର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଯାହା କରିବା କଥା ନକରି ନିଷ୍କ୍ରିୟ ହେବା କାରଣରୁ କୋଟିଆରେ ଏପରି ହୋଇଛି । କୋଟିଆ ପ୍ରସଙ୍ଗକୁ ଦୃଢ଼ ହସ୍ତରେ ସରକାର ଦମନ କରିବା ଉଚିତ । ସବୁ କାଗଜପତ୍ର ଆମ ପାଖରେ ଅଛି । ଆମ ପାଖରେ ବ୍ୟବସ୍ଥା ଅଛି । କେବଳ ସରକାର ସକ୍ରିୟ ହେବା ଉଚିତ । ଇଚ୍ଛା ଶକ୍ତି ଦରକାର , ଦୃଢ଼ ନିଷ୍ପତ୍ତି ନେବା ଦରକାର । ଯଦି ଏହା ନକରନ୍ତି ଭବିଷ୍ୟତରେ ଲୋକେ ସରକାରଙ୍କୁ କ୍ଷମା ଦେବେନାହିଁ ।