କନକ ବ୍ୟୁରୋ : ଯେଉଁ ଘଟଣା ମଣିପୁର ମାଟିରେ ଘଟିଯାଇଛି ସେକଥା ହୁଏତ କେହି ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବେ । ଯେତିକି ନିନ୍ଦା କଲେ ସେତିକି କମ ପଡୁଛି । କହିବାକୁ କଥା ନାହିଁ, ଶୁଣିବାକୁ ଧର୍ଯ୍ୟ ନାହିଁ । ସୁପ୍ରିମକୋର୍ଟଠୁ ସରକାର । ସମସ୍ତେ ସ୍ତବ୍ଧ, ସମସ୍ତେ ଅବାକ । ମହିଳାମାନଙ୍କ ସହ ଅଭିଯୁକ୍ତ ଯେଉଁଭଳି ବିଭତ୍ସ, ବର୍ବର, ନରକୀୟ କାଣ୍ଡ ଘଟାଇଛନ୍ତି ତାର ଜବାବଦେବ କିଏ? କାହିଁକି ସେମାନଙ୍କ ସହ ଏଭଳି ଲୋମଟାଙ୍କୁରା ଘଟଣା ଘଟିଲା? ଦୁଇମାସ ଧରି କାହିଁକି ସରକାର, ପ୍ରଶାସନ, ଗଣମାଧ୍ୟମ ସମସ୍ତେ ଚୁପ ଥିଲେ ? ସୋସିଆଲ ମିଡିଆରେ ଘଟଣା ଭାଇରାଲ ହେବା ପରେ ଏବେ ସବୁଠି ଚର୍ଚ୍ଚା, ଉଦବେଗ ଆଉ ରାଜନୀତି ।

Advertisment

ଲଜ୍ୟାରେ ସାରା ଦେଶର ମୁଣ୍ଡକୁ ତଳକୁ କରିଦେଇଥିବା ଏହି ଘଟଣାକୁ ଯେତେ କମ କଲେ ବି କମ ହେବ ନାହିଁ । ହଜାରେରୁ ଅଧିକ ସଶସ୍ତ୍ର ଭିଡ ଆଗରେ ପୁଲିସ ବି ଅସହାୟ ହୋଇପଡିଥିଲା ଆଉ ଦୁଇଜଣ ନୀରିହ ମହିଳାଙ୍କ ପାଖରେ ପ୍ରତିବାଦର କେତେ ବା ଶକ୍ତି ? ନରପିଶାଚମାନେ ଘଟାଇଥିବା ଏହି ବିଭତ୍ସକାଣ୍ଡର ଆଉ ଏକ ଦିଗ ଜାଣିଲେ ଆପଣଙ୍କ ହୃଦୟ ଆହୁରି ଭାଙ୍ଗିଯିବ । ଗଣଦୁଷ୍କର୍ମର ଶିକାର ହୋଇଥିବା ଏହି ଦୁଇ ପିଡିତାଙ୍କ ଭିତରୁ ଜଣେ ହେଉଛନ୍ତି ଦେଶର ଜଣେ ପୂର୍ବତନ ସୈନିକଙ୍କ ପତ୍ନୀ । ଯିଏ ୧୯୯୯ କାରଗିଲା ଯୁଦ୍ଧରେ ଦେଶ ପାଇଁ ଲଢିଥିଲେ । ଦେଶର ସୁରକ୍ଷା ପାଇଁ ନିଜ ପରିବାରକୁ ପଛ କରିଦେଇଥିବା ଏହି ଜବାନ । ଆଜି ପ୍ରଶ୍ନ କରୁଛନ୍ତି ମୁଁ ଦେଶକୁ ତ ରକ୍ଷା କରିଥିଲି ହେଲେ ଦେଶ ମୋ ପରିବାରକୁ ରକ୍ଷା କଲାନ?

ହେଲେ ଯେତେବେଳେ ପିଛା କରୁଥିବା ଭିଡ଼ ପୁଲିସ ପାଖରେ ପହଁଚି ବଳପୂର୍ବକ ଏମାନଙ୍କୁ ଛଡାଇନେଲେ ସେତେବେଳେ ୮ଶହରୁ ଅଧିକ ଲୋକଙ୍କ ଆଗରେ ପୁଲିସ ବି ହାର ମାନିଯାଇଥିଲା । ସରକାର ବିକାଶର କଥା କହୁଛନ୍ତି । ନାରୀଜାତିକୁ ସମ୍ମାନର କଥା କୁହାଯାଉଛି । ଦେଶରେ ଘଟିଯାଉଥିବା ଏସବୁ ଘଟଣାକୁ ଦେଖିଲେ ମନରେ ପ୍ରଶ୍ନ ଆସୁଛି ବିକାଶ ଓ ସମ୍ମାନର ପରିଭାଷା କଣ ଏୟା ।