କନକ ବ୍ୟୁରୋ : ମଣିପୁରର ବର୍ତ୍ତମାନ ସ୍ଥିତିକୁ ନେଇ ଚର୍ଚ୍ଚା କରିବାକୁ କେନ୍ଦ୍ରୀ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ହିଂସାରେ ପୀଡିତ ମଣିପୁରର ସ୍ଥିତି ବାବଦରେ ଜାଣିବା ଓ ଏହାକୁ କିଭଳି ରୋକାଯାଇ ପାରିବ ତାହା ଉପରେ ଏହି ବୈଠକରେ ଆଲୋଚନା ହେବ ।

Advertisment

ଏହି ସର୍ବଦଳୀୟ ବୈଠକ ସଂସଦର ପୁସ୍ତକାଳୟରେ ଅନୁଷ୍ଠିତ ହେଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମେ’ ମାସରେ ୪ଦିନିଆ ମଣିପୁର ଗସ୍ତ କରିଥିଲେ । ଏହି କ୍ରମରେ ସେ ରାଜ୍ୟରେ ଶାନ୍ତି ଫେରାଇଆଣିବାକୁ ସେଠିକାର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହାସହ ହିଂସାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ମଧ୍ୟ ଦେଇଥିଲେ ।

ସର୍ବଦଳୀୟ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ନିତ୍ୟାନନ୍ଦ ରାୟ, ବିଜେଡି ନେତା ପୀନାକି ମଶ୍ର, ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ କେ, ସଙ୍ଗମା, ଟିଏମସି ନେତା ଡେରେକ ଓ ବ୍ରାୟନ, ସିପିଆଇ (ଏମ୍) ସାଂସଦ ଜନ ବ୍ରିଟାସ ସମେତ ଅନ୍ୟନେତାମାନେ ମଧ୍ୟ ସାମିଲ ଅଛନ୍ତି ।

ମଣିପୁର ହିଂସାକୁ ନେଇ ଏହା ପୂର୍ବରୁ ବିରୋଧୀ ଦଳ ବିଭିନ୍ନ ପ୍ରଶ୍ନ ଉଠାଇଥିଲା । କଂଗ୍ରେସ ତରଫରୁ ଗୁରୁବାର ଦିନ କୁହାଯାଇଥିଲା କି, ଯେତେବେଳେ ପ୍ରଧାନମନ୍ତ୍ରୀ ଆମେରିକାରେ ଅଧିକାରିକ ସ୍ତରରେ ଯାତ୍ରା କରୁଛନ୍ତି ସେତେବେଳେ ମଣିପୁର ହିଂସାକୁ ନେଇ ସର୍ବଦଳୀୟ ବୈଠକ ଡାକିବାର ମାନେ କଣ ? । ଏହାସହ ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ବିରୋଧୀମାନେ ବାରମ୍ବାର ପ୍ରଶ୍ନ କରୁଛନ୍ତି ।