କନକ ବ୍ୟୁରୋ : ଦେଢମାସ ବିତିଲାଣି ତଥାପି କମୁନି ମଣିପୁର ହିଂସା । ଯନ୍ତ୍ରଣାରେ ଆର୍ତ୍ତ ଚିକ୍ରାର କରୁଛି ପୂର୍ବୋତର ରାଜ୍ୟ । ଦୀର୍ଘଦିନ ଧରି ରାଜ୍ୟରେ ଚାଲିଛି ହିଂସା, ଉତେଜନା, ଗଣ୍ଡଗୋଳ, ହତ୍ୟା, ଲୁଟପାତ, ପଳାୟନ । ଏହା ଭିତରେ ବୁଧବାର ପୁଣି ଏକ ବଡ ଘଟଣାରେ ଥରି ଉଠିଛି ରାଜ୍ୟ । ରାଜ୍ୟମନ୍ତ୍ରୀ ନେମଚା କେପଗେନଙ୍କ ସରକାରୀ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । ପୂର୍ବ ଇମ୍ଫାଲର ଲାମ୍ପେଲରେ ଥିବା ମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିବା ସହ ନିଆଁ ଲଗାଇ ଫେରାର ହୋଇଛନ୍ତି ଉପଦ୍ରବକାରୀ । ତେବେ ଘଟଣା ପଛରେ ଉଗ୍ରବାଦୀଙ୍କ ହାତ ରହିଛି । ପୂରା ରାଜ୍ୟକୁ ସୁରକ୍ଷାକର୍ମୀ ଜଗି ରହିଥିଲେ ବି କିଭଳି ଉଗ୍ରବାଦୀ ଓ ଉପଦ୍ରବାକାରୀଙ୍କ ରୋକିବାରେ ବିଫଳ ହେଉଛି ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା କହିଛି କଂଗ୍ରେସ ।

Advertisment

ସେପଟେ ମଙ୍ଗଳବାର ରାତିରେ ଇମ୍ପାଲରେ ଏକ ଗାଁ ଦେଖିଥିଲା ରକ୍ତତାଣ୍ଡବ । ୧୦ଜଣଙ୍କୁ ଗୁଳିମାରି ହତ୍ୟା କରିବା ସହ ଘଟଣାରେ ୨୦ରୁ ଉର୍ଦ୍ଧ ଲୋକ ଆହତ ହୋଇଥିଲେ । ସୂଚନା ଅନୁସାରେ ମୈଇତି ସମୁଦାୟର ଶହ ଶହ ଲୋକ କୁକି ସମ୍ପ୍ରଦାୟ ରହୁଥିବା ଗାଁରେ ପଶି ସଂଘବଦ୍ଧ ଆକ୍ରମଣ କରିଥିଲେ । ସେପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବୁଧବାର ଆସାମ ଓ ମଣିପୁର ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ରାଜ୍ୟର ସ୍ଥିତି ସମ୍ବନ୍ଧରେ ତାଜା ରିପୋର୍ଟ ପ୍ରଦାନ କରିଛନ୍ତି ।

ଦୁଇ ସମୁଦାୟର ସଂଘର୍ଷ ଭିତରେ ଧନଜୀବନ କେବଳ ହାନି ହେଉନି ସରକାରୀ ସମ୍ପତି ମଧ୍ୟ କ୍ଷତି ଘଟୁଛି । ସେପଟେ ଶିକ୍ଷାନୁଷ୍ଠାନ ଗୁଡିକରେ ତାଲା ପଡିବା ଯୋଗୁଁ ଅନ୍ଧକାର ଭିତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରହିଛି । ବିଭିନ୍ନ ସ୍ଥାନରେ କଫ୍ୟୁ ଲାଗୁ ହେବା ଯୋଗୁଁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହେଉଛି । ଅନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଏଠାରେ ଇଂଟରନେଟ ସେବାକୁ ବନ୍ଦ କରାଯାଇଛି । ଭୟର ବାତାବରଣରୁ ହଜାର ସଂଖ୍ୟକ ଲୋକ ପଳାୟନ କରୁଛନ୍ତି ।