ମାଟି ଅତଡା ଖସି ଭାଙ୍ଗିଲା ସେନା କ୍ୟାମ୍ପ । ମାଟିତଳେ ପୋତି ହୋଇଛନ୍ତି ୩୦ ରୁ ଅଧିକ ଯବାନ, ୭ ମୃତଦେହ ଉଦ୍ଧାର

460

କନକ ବ୍ୟୁରୋ : ଅନେକ ଦିନ ଧରି ଜାରି ରହିଥିବା ବର୍ଷା କାରଣରୁ ମଣିପୁରରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ବୁଧବାର ରାତିରେ ନୋନି ଜିଲ୍ଲାର ନୁପୁଲ ରେଳ ଷ୍ଟେସନ ନିକଟରେ ହୋଇଥିବା ଲ୍ୟାଣ୍ଟସ୍ଲାଇଟ ଫଳରେ ୧୦୭ ଆଞ୍ଚଳିକ ସେନାର କ୍ୟାମ୍ପ ଭୂଷୁଡି ପଡିଛି । ଫଳରେ ୩୦ ରୁ ଅଧିକ ଯବାନ ମାଟିତଳେ ଫସି ଯାଇଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ଉଦ୍ଧାରକାରୀ ଦଳ ମାଟିତଳୁ ୭ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ୧୩ ଜଣ ଯବାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବେଳେ ଏବେ ୩୦ ରୁ ଅଧିକ ଯବାନ ମାଟିତଳେ ଫଶି ରହିଥିବା କଥା କୁହାଯାଉଛି । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଜରୁରୀ ବୈଠକ ଡାକିଛନ୍ତି । ଆହତ ଯବାନମାନଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଦଳ ଦୁର୍ଘଟଣା ସ୍ଥଳରେ ପହଂଚିଛି ।

ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି । ଯଥାଶୀଘ୍ର ସମ୍ଭବ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । କହିରଖୁ କି ଆସାମ ଓ ମଣିପୁର ସମେତ କିଛି ପୂର୍ବାଞ୍ଚଳ ରାଜ୍ୟରେ କିଛିଦିନ ହେବ ଲଗାତର ବର୍ଷା ଜାରି ରହିଛି । ଏଭଳି ବର୍ଷା କାରଣରୁ ଗତ ୧୦ ଦିନ ମଧ୍ୟରେ ଆସାମର ୧୩୫ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ମୁତାବକ ଆଗକୁ ମଣିପୁର, ଆସାମ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।