କନକ ବ୍ୟୁରୋ : ୨ ମାସରୁ ଅଧିକ ସମୟ ଧରି ଲାଗି ରହିଛି ହିଂସା । ୧୫୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହଜାର ହଜାର ଲୋକ ନିଜ ଘରଦ୍ୱାର ଛାଡି ପଶୁଙ୍କ ଭଳି ଆଶ୍ରୟ ସ୍ଥଳରେ ସାହାରା ନେଇଛନ୍ତି । ଗୃହମନ୍ତ୍ରୀଙ୍କ ଘନ ଘନ ବୈଠକ ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ହିଂସାରୁ ବିରତ ରହିବାକୁ ନିବେଦନ । ହେଲେ ଏହି ଜାତିଗତ ହିଂସା ଆଗରେ ସବୁ ଯେମିତି ଫିକା ପଡିଯାଇଛି ।  ଏସବୁ ଭିତରେ ଗତକାଲି ମଣିପୁରରୁ ଆସିଥିବା ଏକ ଭିଡିଓ ବିଶ୍ୱର ସର୍ବଶ୍ରେଷ୍ଟ ଓ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର କୁହାଯାଉଥିବା ଭାରତ ବର୍ଷ ପାଇଁ ସତେ ଯେମିତି ଏକ କଳଙ୍କ ଭଳି ଦୃଶ୍ୟମାନ ହେଉଛି । ଏସବୁକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀଦଳମାନେ । ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଦଳମାନେ ମଣିପୁର ଘଟଣାକୁ ନେଇ ହଙ୍ଗାମା ଆରମ୍ଭ କରିଥିଲେ । ବିରୋଧୀଦଳମାନେ ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ସଂସଦରେ ବୟାନ ରଖନ୍ତୁ ବୋଲି ଦାବି କରିଥିବା ବଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ମଣିପୁରରେ ମାନବିକତା ମରିଯାଇଛି ।

Advertisment

ବିରୋଧୀଦଳଙ୍କ ଦାବି ଉପରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ବିରୋଧୀଦଳକୁ ଆଶ୍ୱାସନା ଦେଇଛନ୍ତି କି ମଣିପୁର ଘଟଣା ଉପରେ ସଂସଦରେ ଆଲୋଚନା ହେବ ଓ କେହି ନା କେହି ସରକାରଙ୍କ ତରଫରୁ ଜବାବ ଦେବେ ।

ସୂଚନା ଥାଉକି ମଣିପୁରରେ ଲାଗି ରହିଥିବା ଜାତିଗତ ହିଂସା ଭିତରେ ଗତକାଲି ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଥିଲା କି ଦୁଇଜଣ ମହିଳାଙ୍କୁ କିଛି ଲୋକ ନିବସ୍ତ୍ର କରି ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି । ଏହି ଭିଡିଓକୁ ନେଇ ଲୋକଙ୍କ ଭିତରେ ଆକ୍ରୋସ ଭରିଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଏଭଳି ଭିଡିଓ ଦେଖିବା ପରେ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।