ଜୟପୁରରେ ରବି ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ବଢୁଛି ବିବାଦ । ଟୋକନ ଥାଇ ବି ଚାଷୀଙ୍କ ଧାନ କିଣୁନାହାନ୍ତି ମିଲର୍ସ । ଆଗାମୀ ୩ ଦିନ ଭିତରେ ଧାନ ନଉଠିଲେ ଜିଲ୍ଳା ଅଚଳ କରିବା ଧମକ ଦେଲା ଚାଷୀ ସଙ୍ଗଠନ ।

106

କନକ ବ୍ୟୁରୋ: ଗଦା ହୋଇ ରହିଛି ଶହ ଶହ କ୍ୱଇଂଟାଲ ଧାନ । କେତେକ ଖୋଲା ମେଲାରେ ବର୍ଷାରେ ଭିଜୁଛି, ଆଉ କେତେକ ପଲିଥିନ ଓ ଛାତ ତଳେ ଗଦା ହୋଇଛି । ରବି ଧାନ ବିକ୍ରୀ ପାଇଁ ଚାଷୀ ୪ ଦିନ ହେଲା ଟୋକନ ଧରି ବସିଛନ୍ତି, ହେଲେ ନା ମିଲର ଆସୁଛନ୍ତି ନା ଯୋଗାଣ ବିଭାଗର କୌଣସି ଅଧିକାରୀ । ଟୋକନ ବ୍ୟବସ୍ଥାରେ ଛନ୍ଦି ହୋଇ ପଡ଼ିଛନ୍ତି ଚାଷୀ । କୋରାପୁଟ ଜିଲ୍ଲାରୁ ରବି ଧାନ କିଣିବା ପାଇଁ ଟୋକନ ଅଧିକ ଆସୁଛି, କିନ୍ତୁ ଯୋଗାଣ ବିଭାଗ କମ ଧାନ କିଣୁଛି । ଯୋଗାଣ ବିଭାଗ ଓ ମିଲର୍ସଙ୍କର ତାଳମେଳ ରହୁନଥିବାରୁ ଅସୁବିଧା ଭୋଗୁଛନ୍ତି ଚାଷୀ ।

କୋରାପୁଟ ଜିଲ୍ଳାରୁ ୭ ଲକ୍ଷ ୩୦ ହଜାର କ୍ୱିଂଟାଲ ଧାନ କିଣିବା ଲକ୍ଷ୍ୟ ରହିଛି । ୬୮ଟି ମଣ୍ଡି ଜରିଆରେ କେଉଁ ଚାଷୀଙ୍କ ପାଖରୁ କେତେ ଧାନ କିଣାଯିବ ତାହା ଟୋକନ ଉପରେ ନିର୍ଭର କରୁଛି । ରାଜ୍ୟ ସରକାର ବୁଝୁଛନ୍ତି ଟୋକନ ବ୍ୟବସ୍ଥା, ତେଣୁ ମଣ୍ଡି ସମସ୍ୟା ବାବଦରେ ସରକାରଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ସେପଟେ ଚାଷୀ ସଂଗଠନ ଆନ୍ଦୋଳନର ଚେତାବନୀ ଦେଇଛି । ଆସନ୍ତା ୩ ଦିନ ଭିତରେ ସରକାର ଧାନ ନକିଣିଲେ କୋରାପୁଟ ଜିଲ୍ଳାକୁ ଅଚଳ କରାଯିବ ବୋଲି ଜିଲ୍ଳା କିଷାନ ନେତା ଚେତାବନୀ ଦେଇଛନ୍ତି ।

ସପେଟେ ଟାର୍ଗେଟ ପୂରଣ ହେଉ କି ଟୋକନର ଅବ୍ୟବସ୍ଥା ହେଉ, ମଣ୍ଡିରୁ କିପରି ଧାନ ଉଠିବ ସେ ଦିଗରେ ଜିଲ୍ଳା ପ୍ରଶାସନ ଚିନ୍ତା କରିବା ଆବଶ୍ୟକ । ନଚେତ ଧାନ ବିକ୍ରୀ ପାଇଁ ଅପେକ୍ଷା କରିିଥିବା ଚାଷୀ ହତାସ ହେବା ସୁନିଶ୍ଚିତ ବୋଲି ମତ ପ୍ରକାଶ ପାଉଛି ।