ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗରେ ବିଧାନସଭାକୁ ଅଚଳ : ବିରୋଧୀ ଦଳ ମୁଖ୍ୟ ସଚେତକ କହିଲେ, ପ୍ରସଙ୍ଗ ଉଠାଇବା ପଛରେ ଅଛି ଶାସକ ଦଳ ସଭ୍ୟଙ୍କ ସମର୍ଥନ

ଲବିରେ ପ୍ରଶଂସା କରୁଛନ୍ତି ମନ୍ତ୍ରୀ; ଶାସକ ଦଳ ସଚେତକଙ୍କ ସଫେଇ, ଅପପ୍ରଚାର କରୁଛନ୍ତି ବିରୋଧୀ ନେତା

118

କନକ ବ୍ୟୁରୋ : ମଣ୍ଡିରେ ଧାନ ଉଠୁନାହିଁ । ଚାଷୀ ହଇରାଣ ହେଉଥିବା ଅଭିଯୋଗ କରି, ବିଧାନସଭାକୁ ଅଚଳ କରୁଛନ୍ତି ବିରୋଧୀ । ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବଶେନ ଆରମ୍ଭ ହୋଇଥିବାବେଳେ, ଆଦୌ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଚାଷୀ ଓ ମଣ୍ଡି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଦେଲେ । ହେଲେ ଏହାରି ଭିତରେ ଜଣାପଡିଛି ଏକ ସଂଘାତିକ କଥା ।

ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ଚାଷୀ ପ୍ରସଙ୍ଗ ଉଠାଇବା ପଛରେ ରହିଛି ଶାସକ ଦଳ ସଭ୍ୟଙ୍କ ସମର୍ଥନ । ଗୃହରେ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ବିଧାନସଭା ଲବିରେ ଆସି ଶାସକ ଦଳର ସଭ୍ୟମାନେ ତାଙ୍କୁ ଭେଟି ଚାଷୀ ପ୍ରସଙ୍ଗ ଉଠାଇବାକୁ କହୁଛନ୍ତି । କାରଣ ସାରା ରାଜ୍ୟରେ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗରେ ଅସନ୍ତୋଷ ରହିଛି । ହେଲେ ସରକାରରେ ଥାଇ ସରକାରଙ୍କ ବିରୋଧରେ ପ୍ରଶ୍ନ କରିପାରୁନଥିବାରୁ, ବିରୋଧୀଙ୍କୁ ଏହି ପ୍ରସଙ୍ଗ ଉଠାଇବାକୁ ସେମାନେ ପ୍ରବର୍ତାଉଛନ୍ତି ।

ଏପରିକି ଚାଷୀ ଓ ମଣ୍ଡି ପ୍ରସଙ୍ଗ ଉଠାଇବା ପରେ ମନ୍ତ୍ରାମାନେ ଲବିରେ ପ୍ରଶଂସା କରୁଥିବା କଥା ବିଧାନସଭା ବାହାରେ କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏହି ପ୍ରସଙ୍ଗରେ କିନ୍ତୁ ସଫେଇ ରଖି ଶାସକ ଦଳ ମୁଖ୍ୟ ସଚେତକ କହିଛନ୍ତି, ସରକାରଙ୍କ ବିରୋଧରେ ଅପପ୍ରାଚର ପାଇଁ ମିଛ କହୁଛନ୍ତି ବିରୋଧୀ ନେତା ।