ଧାନକିଣାକୁ ନେଇ ବିଧାନସଭାରେ ମହାଭାରତ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ଶାସକ ଦଳର ଜିଦ୍, କ୍ଷମା ମାଗନ୍ତୁ ଦେବଗଡ଼ ବିଧାୟକ ।

112

କନକ ବ୍ୟୁରୋ: ମଣ୍ଡି ଅବ୍ୟବସ୍ଥାକୁ ନେଇ ଆଜି ବି ଉଠିଲା ପଡ଼ିଲା ବିଧାନସଭା । ତେବେ ଆଜି କେବଳ ବିରୋଧୀ ନୁହେଁ, ଶାସକ ଦଳର ବିଧାୟକ ବି ଗୃହ ମଧ୍ୟ ଭାଗକୁ ଆସି ହୋ ହଲ୍ଲା କରିଥିଲେ । ଗୋଟିଏ ପଟେ ମଣ୍ଡିରେ ସବୁ ଧାନ ଉଠୁ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଅଡି ବସିଥିବା ବେଳେ ।

ଗତକାଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାନିଟାଇଜର ପିଇବା ଘଟଣାକୁ ନେଇ ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । ଶାସକ ଦଳର ଦାବି ଥିଲା, ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରି ଗୃହର ମର୍ଯ୍ୟାଦା ଭାଙ୍ଗିଥିବାରୁ ଦେବଗଡ଼ ବିଧାୟକ କ୍ଷମା ମାଗନ୍ତୁ । କ୍ଷମା ନମାଗିଲେ ଗୃହକାର୍ଯ୍ୟ କରାଇଦେବୁନି ବୋଲି କହିଥିଲେ ବିଜେଡି ସଦସ୍ୟ । ଏପଟେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲା ବିଜେପି।

ଗୃହର ମଧ୍ୟଭାଗରେ ଶାସକ ଦଳର ସଦସ୍ୟ ଓ ମନ୍ତ୍ରୀ ହଟ୍ଟଗୋଳ କରୁଥିବାରୁ ଏଥିରେ ଆପତ୍ତି ଉଠାଇଥିଲା ବିଜେପି । ତେବେ ବିଜେଡି ସଦସ୍ୟ କହିଥିଲେ, ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଓଡ଼ିଶାରେ ନୁହେଁ, ସାରା ଦେଶରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ତେଣୁ ଦେବଗଡ଼ ବିଧାୟକ କ୍ଷମା ମାଗିବା ଉଚିତ । ସେପଟେ ସୁବାସ ପାଣିଗ୍ରାହୀ କହିଥିଲେ, ମଣ୍ଡିରୁ ସବୁ ଧାନ ପ୍ରଥମେ ଉଠାନ୍ତୁ, ତାପରେ ସେ କ୍ଷମା ମାଗିବେ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ହଟ୍ଟଗୋଳ ଯୋଗୁଁ ଗୃହ ଚାଲି ପାରିନଥିଲା । ଶେଷରେ ଗୃହକୁ ସୋମବାର ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।