ମଣ୍ଡିରୁ ଧାନ ନ ଉଠିବା ନେଇ ଚାଷୀଙ୍କ ତୀବ୍ର ଅସନ୍ତୋଷ : ପ୍ରତିବାଦରେ ଗୋଲାମୁଣ୍ଡା-ସିନାପାଲି ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ

55

କନକ ବ୍ୟୁରୋ : ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଉଚିତ ମୂଲ୍ୟରେ ନିଜର ଅମଳ ଫସଲକୁ ବିକ୍ରି କରିପାରିବ ସେଥିପାଇଁ ବିଭିନ୍ନ ସ୍ଥାନରେ ଧାନମଣ୍ଡି ଖୋଲା ଯାଇଛି । ମଣ୍ଡିରେ ଅବ୍ୟବସ୍ଥା ସାଙ୍ଗକୁ ମିଲର୍ସଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ବିଭିନ୍ନ ଜିଲ୍ଲାରୁ ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ଅଭିଯୋଗ ବୃଦ୍ଧି ପାଉଛି । ଧର୍ମଗଡରେ ମଣ୍ଡିରୁ ଧାନ ନ ଉଠିବା ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । ପ୍ରତିବାଦରେ ଗୋଲାମୁଣ୍ଡା-ସିନାପାଲି ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି । ଫଳରେ ଗୋଲାମୁଣ୍ଡା-ସିନାପାଲି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି ।

ସେହିଭଳି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ସମବାୟ ସମିତି ଆଗରେ ଚାଷୀମାନେ ଧାନରଖି ଶୀତ କାକରରେ ପଡିରହିଛନ୍ତି । ମିଲରଙ୍କ ମନମାନି ଯୋଗୁଁ ଚାଷୀମାନେ ରାତିରେ ଧାନ ଦେଇ ନପାରି ଆଣିଥିବା ଧାନକୁ ରାତି ସାରା ଜଗି ରହିଛନ୍ତି । ବଡ଼ପୋଖରୀ ସମବାୟ ସମିତିରେ ଧାନ ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଛି । ବୁଲା ଷଣ୍ଢ ଗୋରୁଙ୍କ ଦାଉରୁ ରକ୍ଷା ପାଇଁ ଚାଷି ତାର ଅମଳ ଧାନକୁ ଧରି ସାରାରାତି ଜଗିରହିଛି ।

ଅନ୍ୟପକ୍ଷରେ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ଧାନମଣ୍ଡିରେ ବହୁ ଚାଷୀ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିବା ଧାନ ଆଣିଥିଲେ । କିନ୍ତୁ ଚାଷୀ ଦିନ ତମାମ ମଣ୍ଡିରେ ଜଗି ରହି ମଧ୍ୟ ନିଜ ଅମଳ ଧାନକୁ ବିକ୍ରି କରି ପାରିନଥିଲେ । ଲେମ୍ପ କର୍ତୁପକ୍ଷ ଟାର୍ଗେଟ ସରିବା ଆଳରେ ଚାଷୀଙ୍କ ଧାନ କିଣିବା ବନ୍ଦ କରିଦେବା ଫଳରେ ଅଧିକାଂଶ ଚାଷୀଙ୍କୁ ନିରାଶ ହୋଇ ଧାନବିକ୍ରି କରିପାରି ନଥିଲେ । ଅନେକ ଚାଷୀ ମାଣ୍ଡିକୁ ଆଣିଥିବା ଧାନ ଫେରାଇ ନପାରି ବାଧ୍ୟ ହୋଇ ରାତି ରାତି ଅନିଦ୍ରା ରହି ଭୋକ ଉପବାସରେ ନିଜର ଅମଳ ଧାନକୁ ଶୀତ କାକରରେ ଜଗି ରହିଥିଲେ । ଗୋଟେପଟେ ମିଲରସ ମନମାନି ଅନ୍ୟପଟେ ଲେମ୍ପ କର୍ତୁପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ଯୋଗୁଁ ଚାଷୀ ଶୋଷଣର ଶିକାର ହେବାକୁ ପଡୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।