ସମ୍ବଲପୁର ଜିଲ୍ଲାରେ ରାସ୍ତା ଉପରେ ଧାନ ମଣ୍ଡି ! କଟନି ଛଟନିଙ୍କୁ ନେଇ ସମ୍ବଲପୁର ଜିଲ୍ଲାରେ ବଢୁଛି ଚାଷୀ ଅସନ୍ତୋଷ

98

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ଧାନ କିଣା ଚାଲିଥିବା ବେଳେ ଧାନ ମଣ୍ଡି ଚାଲିଛି ରାସ୍ତା ଉପରେ । ତାଲବ ପଂଚାୟତର ଧାନ ମଣ୍ଡିକୁ ଦେଖିଲେ ଜିଲ୍ଲାର ଧାନ ମଣ୍ଡି ଅବସ୍ଥା ବେଶ ବାରି ହେଉଛି । ରାସ୍ତା ଉପରେ ମଣ୍ଡି ଚାଲିଥିବା ବେଳେ ଚାଲିଛି କଟନି ଛଟନି । ଯାହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି ।

ସମ୍ବଲପୁର ଜିଲ୍ଲା ତାଲବ ପଂଚାୟତରେ ରାସ୍ତା ଉପରେ ଚାଲିଛି ସରକାରୀ ଧାନ ମଣ୍ଡି । ଆଉ ରାସ୍ତା ଉପରେ ଠିଆ ହୋଇଛି ଧାନ ବୋଝେଇ ଟ୍ରକ । ପ୍ରାୟ ୧୦ ଖଣ୍ଡ ଗାଁର ଶତାଧିକ ଚାଷୀ ତାଲବ ମଣ୍ଡିକୁ ଧାନ ବିକିବା ପାଇଁ ଆଣିଥିବା ବେଳେ ମଣ୍ଡିରେ ଜାଗା ନଥିିବାରୁ ରାସ୍ତା ଉପରେ ଛିଡ଼ା ହେଉଛି ଧାନ ବୋଝେଇ ଟ୍ରକ । ଏପଟେ ମଣ୍ଡିରେ କୌଣସି ଓଜନ ବ୍ୟବସ୍ଥା ନଥିବାରୁ ମିଲ୍ ମାଲିକ ଦେଉଥିବା ଓଜନ ଉପରେ ଚାଷୀଙ୍କୁ ପାଉଣା ମିଳୁଛି । ଖାଲି ଏତିକି ନୁହେଁ କ୍ୱିଂଟାଲ୍ ପିଛି ୫ରୁ ୬ କେଜି ଧାନ କଟନୀ ଛଟନୀ ମଧ୍ୟ କରାଯଉଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

ଧାନର କଟନି ଛଟନି ହେଲେ ରାଜ୍ୟ ସରକାର କାର୍ଯ୍ୟନୁଷ୍ଠାନର କଥା କହୁଥିବା ବେଳେ ସମ୍ବଲପୁରରେ ଚାଲିଛି କଟନି ଛଟନି । ଏନେଇ ସୋସାଇଟି ସେକେଟେରୀଙ୍କ କହିବା କଥା ଜାଗା ନଥିବାରୁ ମଣ୍ଡିରେ ଓଜନ ହୋଇପାରୁନାହିଁ । ତେଣୁ ମିଲ୍ରେ ଓଜନ କରାଯାଇ ଚାଷୀଙ୍କୁ ଅର୍ଥ ଦିଆଯାଉଛି । ଏବଂ ଚାଷୀଙ୍କ ଧାନ କଟନି ଛଟନି ହେଉଥିବା ସେ ସ୍ୱୀକାର କରିଛନ୍ତି ।