ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ଜବାବ ଦେଲେ ମାନସ ମଙ୍ଗରାଜ । କହିଲେ, ମିଥ୍ୟା ତଥ୍ୟ ଦ୍ୱାରା ଓଡିଶା ଲୋକଙ୍କୁ ବୋକା ବନାନ୍ତୁ ନାହିଁ ।

147

କନକ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମିନଥିବା ବେଳେ ଏହାକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି । କିନ୍ତୁ ସେ ଜାଣିଛନ୍ତି ଯେକୌଣସି ୫ ମିନିଟରେ ଭାରତ ସରକାରଙ୍କ ବିଜ୍ଞପ୍ତି ପଢି ଜାଣିପାରିବ ଯେ, କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ।

ଏଥିସହିତ ତାଙ୍କର ବକ୍ତବ୍ୟକୁ ଯେଭଳି ଭୁଲ ଭାବେ ଦର୍ଶାଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି । ସେ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଇଥିଲେ ଯେ, କୋଲକାତା ଠାରେ ଥିବା ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ, ଯାହାକି ବର୍ତ୍ତମାନ ପ୍ରଶ୍ନବାଚୀ । ଏଥିସହିତ ସଂସ୍କୃତି ନିର୍ଦ୍ଦେଶକ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି । କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିର ପାଇଁ ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ବକ୍ତବ୍ୟ ଦେଇଛନ୍ତି ।

ଅନ୍ୟପଟେ ସାଂସଦ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନାହାନ୍ତି । ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଓ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ତାଙ୍କୁ ବୁଝିବା କଷ୍ଟକର ବୋଲି ସେ କହିଛନ୍ତି । ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଏହି ପ୍ରସଙ୍ଗକୁ ବୁଝିପାରିଛନ୍ତି।

ଏହାସହ ସାଂସଦ ଅପରାଜିତା ଦୀର୍ଘ ଦିନ ଧରି ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି । ହେଲେ ସେ ଆମସର ଆଇନକୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି ବୋଲି ମାନସ ମଙ୍ଗରାଜ କହିଛନ୍ତି । ତେଣୁ ସବୁଠାରୁ ଭଲ ହେବ ସେ ଆମସର ଆଇନକୁ ପଢି ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓଡିଆ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି କହିଛନ୍ତି ।