ହଠାତ୍ ଦବିଗଲା ରାଜଧାନୀର ପକ୍କା ରାସ୍ତା! ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାସ୍ତା ମଝିରେ ୧୦ ଫୁଟର ବିରାଟ ଖାଲ, ସାଧାରଣ ଲୋକ ଭୟଭୀତ

24

କନକ ବ୍ୟୁରୋ : ଦବିଗଲା ରାଜଧାନୀର ପକ୍କା ରାସ୍ତା । ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାସ୍ତା ମଝିରେ ଏକ ବିରାଟ ଗର୍ତ ସୃଷ୍ଟି ହୋଇଛି । ରାସ୍ତାମଝିରେ ପାଖାପାଖି ୧୦ ଫୁଟର ଗର୍ତ ହୋଇଛି । ପାୱାର ହାଉସ ଛକ ଏକ ଜନଗହଳିପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଶହ ଶହ ଗାଡି ରାସ୍ତା ମଝିରେ ଅଟକି ରହିବା ଫଳରେ ଟ୍ରାଫିକ ସମସ୍ୟା ଉପଜୁଛି । ତେବେ କୌଣସି ଅଘଟଣ ହୋଇନଥିବା ସୂଚନା ମିଳିଛି । ପରେ ବାଲି ବସ୍ତା ପକାଯାଇ ଏବେ ରାସ୍ତାକୁ ମରାମତି କରାଯାଉଛି ।

man wholeପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ରାସ୍ତାରେ ଏକ କଲେଜ ବସ ଅଟକି ରହିଥିଲା । ତେବେ ବସଟି ଯିବା ପରେ ରାସ୍ତା ଦବିଥିଲା । ପାଖାପାଖି ୧୦ ଫୁଟର ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ତେବେ ସୋଭାଗ୍ୟବଶତଃ କୌଣସି ଅଘଟଣ ଘଟିନାହିଁ । ପରେ ଗାଡି ମୋଟର ଚଳାଚଳ କରିବାରୁ ରାସ୍ତା ତଳୁ ମାଟି ଧଶିବା ସହ ଚାରିଆଡେ ଫାଟ ସୃଷ୍ଟି ହୋଇଛି । ଏପରିକି ପାଖାପାଖି ୪୦ ଫୁଟ ଯାଏଁ ରାସ୍ତା ତଳୁ ମାଟି ଧସିଥିବା ସୂଚନା ମିଳିଛି । ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକ ଭୟଭୀତ ହୋଇଛନ୍ତି । ପରେ ବିଏମସି ଅଧିକାରୀ ବାଲି ବସ୍ତା ପକାଇ ରାସ୍ତା ମରାମତି କରିଛନ୍ତି ।

ମାଟିତଳେ ବିଦ୍ୟୁତ ପାଇପ ବିଛାଯାଉଥିବା ବେଳେ ସ୍ୱେରେଜ ପାଇପ ଫାଟିଯିବା ଫଳରେ ଏଭଳି ଅଘଟଣ ଘଟିଥିବା ଜଣା ପଡିଛି । ସ୍ୱେରେଜ ଲାଇନ ଫାଟିଯିବା ଫଳରେ ପାଣି ଲିକ ହେବାରୁ ରାସ୍ତା ତଳୁ ମାଟି ଧଶି ଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତା କାମ ଅତ୍ୟନ୍ତ ନିମ୍ନ ମାନର ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଗୋଟିଏ ପଟେ ସ୍ମାର୍ଟ ସିଟି ପାଇଁ ଭୁବନେଶ୍ୱରରେ ଗମନାଗମନ ବ୍ୟବସ୍ଥାକୁ ସୃଦୁଢ କରାଯାଉଛି । କିନ୍ତୁ ଏଭଳି ସମୟରେ ରାଜଧାନୀର ପ୍ରମୁଖ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ଫଳରେ ସ୍ମାର୍ଟସିଟିର ରାସ୍ତା ସୁରକ୍ଷିତ କି ନୁହେଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।