ମାଙ୍କଡଙ୍କ ଉପରେ ଲାଗିଲା ୭୦ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗ, ପରିବାର ଲୋକେ ଦେଲେ ଏଫଆଇଆର । ଜାଣନ୍ତୁ ପୁରା ମାମଲା

31

ଉତ୍ତରପ୍ରଦେଶର ବାଗପତରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ମାଙ୍କଡ଼ମାନେ ଜଣେ ବୃଦ୍ଧଙ୍କୁ ପଥର ମାରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହି ଅଭିଯୋଗ ହେବା ପରେ ଖବରଟି ପୁଲିସ ଏବଂ ସ୍ଥାନୀୟ ଲୋକଙ୍କୁ ବିଶ୍ୱାସ କରିବାକୁ ଅଡୁଆରେ ପକାଇଛି । ଏହି ଘଟଣାଟି ଅକ୍ଟୋବର ୧୭ରେ ଘଟିଥିବା ବେଳେ ପରିବାର ଲୋକେ ବାରମ୍ବାର ମାଙ୍କଡ଼ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହୁଥିବା ଜଣାପଡ଼ିଛି ।

ପୁଲିସ ଦେଇଥିବା ସୂଚନା ମୁତାବକ, ଧର୍ମପାଲ ଇଟା ଗଢ଼ା ହୋଇଥିବା ସ୍ଥାନରେ ଶୋଇଥିବା ବେଳେ ଇଟା ଉପରକୁ ଡ଼େଇଁଥିଲା ମାଙ୍କଡ଼ । ଫଳରେ ଇଟାଗୁଡ଼ିକ ଖସି ତଳେ ଶୋଇଥିବା ଧର୍ମପାଲଙ୍କ ଉପରେ ପଡ଼ିଯାଇଥିଲା । ଏହି ଘଟଣା ପରେ ଧର୍ମପାଲଙ୍କୁ ଆହତ ଅବସ୍ଥାରେ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଅନ୍ୟ ପକ୍ଷରେ ପୁଲିସର ଏଭଳି ସୂଚନାକୁ ମିଛ ବୋଲି କହି ନିଜର ଏକ ଭିନ୍ନ ମତ ରଖିଛନ୍ତି ଧର୍ମପାଲଙ୍କ ଭାଇ କ୍ରିଷ୍ଣପାଲ ।

ଘରେ ପୂଜା ହେବାକୁ ଥିବାରୁ ଧର୍ମପାଲ କାଠ ଆଣିବା ପାଇଁ ଯାଇଥିଲେ । ଯେଉଁ ସମୟରେ ମାଙ୍କଡ଼ମାନେ ମିଳିତ ଭାବରେ ତାଙ୍କୁ ଆକ୍ରମଣ କରିବା ସହ ଧର୍ମପାଲଙ୍କ ଛାତି ଏବଂ ମୁଣ୍ଡକୁ ଇଟା ଫିଙ୍ଗିଥିଲେ । ଏହି ଘଟଣା ପରେ ଧର୍ମପାଲ ଗମ୍ଭୀର ଭାବରେ ଆହତ ହେବାରୁ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । ଯେଉଁଠି ତାଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିଥିବା କହିଛନ୍ତି କ୍ରିଷ୍ଣପାଲ । ପରିବାର ଲୋକଙ୍କ ଚାପ ପାଇଁ ପୁଲିସ ଅଭିଯୋଗ ଲେଖିସାରିଥିବା ବେଳେ ଏହାର ସମାଧାନ ପାଇଁ ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ମାଗିଥିବା ଜଣା ପଡ଼ିଛି ।