ଚର୍ଚ୍ଚାରେ ଦିବ୍ୟାଙ୍ଗ ଲ୍ୟାବ ଟେକନିସିଆନ ସୁନିଲ ପ୍ରଜାପତି : ରାଞ୍ଚୋ ଷ୍ଟାଇଲରେ ଗର୍ଭବତୀଙ୍କୁ ଟ୍ରେନରେ କରାଇଲେ ଡ଼େଲିଭରୀ

174

କନକ ବ୍ୟୁରୋ : ଆପଣମାନେ ବଲିଉଡ଼ର ‘ଥ୍ରୀ-ଇଡିୟଟ୍ସ’ ଫିଲ୍ମ ଦେଖିଥିବେ । ସେଥିରେ ‘ରାଞ୍ଚୋ’ ଭୂମିକାରେ ଅଭିନୟ କରିଥିବା ଆମିର ଖାନଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା । ସେହିଭଳି ଏକ ବାସ୍ତବ ଜୀବନର ‘ରାଞ୍ଚୋ’ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛନ୍ତି । ‘ରାଞ୍ଚୋ’ ଷ୍ଟାଇଲରେ ଗର୍ଭବତୀଙ୍କୁ ଟ୍ରେନରେ ଡ଼େଲିଭରୀ କରାଇଛନ୍ତି ଜଣେ ଦିବ୍ୟାଙ୍ଗ ଲ୍ୟାବ୍ ଟେକ୍ନିସିଆନ୍ । ଫିଲ୍ମ ‘ଥ୍ରୀ-ଇଡିୟଟ୍ସ’ ରେ ଆମିର ଖାନ୍ ଯେଉଁଭଳି ଭାବେ ଜଣେ ଗର୍ଭବତୀଙ୍କ ଡ଼େଲିଭରୀ କରାଇଥିଲେ ସେହିଭଳି ଜଣେ ରାଞ୍ଚୋ ହେଉଛନ୍ତି ସୁନିଲ ପ୍ରଜାପତି ।

ସୁଚନା ଅନୁସାରେ, ଚଳନ୍ତା ଟ୍ରେନରେ ଯାତ୍ରା କଲାବେଳେ ମହିଳା ଜଣଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା ।  ଠିକ୍ ଏହି ସମୟରେ ସୁନିଲ ପ୍ରଜାପତି ବ୍ୟବହାର ପାଇଁ ଥିବା ସାଲର ଗୋଟିଏ ସୁତା, ସେଭିଙ୍ଗ କିଟରେ ଥିବା ଏକ ବ୍ଲେଡ଼ ଓ ଭିଡ଼ିଓ କଲ ଜରିଆରେ ଜଣେ ଚକ୍ଷୁ ବିଶେଷଜ୍ଞଙ୍କ ଠାରୁ ସହାୟତା ନେଇ ମହିଳାଙ୍କ ପ୍ରସବ କରାଇଥିଲେ । ପୂର୍ବରୁ ସମ୍ପୃକ୍ତ ମହିଳା ୩ଥର ଗର୍ଭପାତର ଶିକାର ହୋଇଥିଲେ । କିନ୍ତୁ ସୁନିଲ ପ୍ରଜାପତି ତାଙ୍କର ଏହି ଡ଼େଲିଭରୀ ସଫଳ ଭାବେ କରାଇଥିବାରୁ ଖୁବ୍ ଚର୍ଚ୍ଚା ସୃଷ୍ଟି ହୋଇଛି । ଶନିବାର ରାତିରେ ଜବଲପୁର ଅଭିମୁଖେ ଯାଉଥିବା ମଧ୍ୟପ୍ରଦେଶ ସମ୍ପର୍କକାନ୍ତି କୋଭିଡ଼-୧୯ ସ୍ୱତନ୍ତ୍ର ଏକ୍ସପ୍ରେସରେ ଏଭଳି ଡ଼େଲିଭରୀ ହୋଇଛି । ଡ଼େଲିଭରୀ ପରେ ମା’ ଓ ଶିଶୁକୁ ରେଳବାଇ ପକ୍ଷରୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ମା’ ଓ ଛୁଆଙ୍କୁ ମଥୁରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କୁ ଚିକିତ୍ସା କରାଯାଇଛି ।