ଉଦୟପୁରରେ ଉତ୍ତେଜନା : ନୂପୁର ଶର୍ମାଙ୍କ ଭିଡିଓ ପୋଷ୍ଟ ସେୟାର କରିବାରୁ ହତ୍ୟା, ତଦନ୍ତ ପାଇଁ ଏନଆଇଏ ଟିମ ପଠାଇଲା କେନ୍ଦ୍ର

137

ରାଜସ୍ଥାନର ଉଦୟପୁରରେ ଜଣେ ଦର୍ଜୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ଉଦୟପୁରର ଭୂତମହଲ ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ଦୋକାନ ଭିତରେ ପଶି ଦର୍ଜୀଙ୍କ ଗଳାକାଟି ହତ୍ୟା କରିଛନ୍ତି । ଏଭଳି ନୃଶଂସ ହତ୍ୟା ପଛରେ ଆତଙ୍କବାତୀ ଆକ୍ରମଣ ଥିବା କହିଛି କେନ୍ଦ୍ର ସରକାର । ଏଥିପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏଏନଆଇର ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମକୁ ଘଟଣାର ତଦନ୍ତ ପାଇଁ ପଠାଯାଇଥିବା ଜଣାପଡ଼ିଛି ।

ଆକ୍ରମଣକାରୀଙ୍କ ସମ୍ପର୍କ ଆଇଏସଆଇଏସ୍ ସହ ଥାଇପାରେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଏନେଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ତଦନ୍ତକାରୀ ଟିମ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଗିରଫ ଦୁଇ ଅଭିଯୁକ୍ତଙ୍କ ବ୍ୟାକଗ୍ରାଉଣ୍ଡ ଯାଞ୍ଚ କରିବେ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି । ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ପ୍ରାଥମିକ ଭାବେ ଏହାଏକ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡ଼ିଛି ।

ଗିରଫ ହତ୍ୟାକାରୀଙ୍କ ସୋସିଆଲ ମିଡିଆ ପ୍ରୋଫାଇଲକୁ ଯାଞ୍ଚ କରିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଥିବା କହିଛନ୍ତି । ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନରେ ମାମଲା ରୁଜୁ ହେବା ପରେ ଏହି ମାମଲାକୁ ତଦନ୍ତକୁ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବାର ସମ୍ଭାବନା ରହିଛି ।