ଘର ଛାଡ଼ିଲେ, କର୍ମକ୍ଷେତ୍ର ଭୁଲିଲେ : ଯୋରନ୍ଦା ବାବାଙ୍କ ପ୍ରେମରେ ପାଗଳ ସରକାରୀ କର୍ମଚାରୀ, ବାବାଙ୍କ କବଳରୁ ରକ୍ଷା କରିବାକୁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକ

2,029

କନକ ବ୍ୟୁରୋ : ବାବାଙ୍କ ପ୍ରେମରେ ବାୟା । ବାବାଙ୍କୁ ଗୋଟିଏ ମିନିଟ୍ ନଦେଖିଲେ ଅନ୍ଧ । ଘରଦ୍ୱାରା ଭୁଲିଲେ, ପରିବାର ଭୁଲିଲେ, ଏପରିକି କର୍ମକ୍ଷେତ୍ରକୁ ମଧ୍ୟ ଭୁଲିଲେ ।  ସରକାରୀ ଡ୍ୟୁଟିକୁ ଭୁଲି ବାବାଙ୍କ ଶରଣ ପଶିଛନ୍ତି ଜଣେ ସରକାରୀ କର୍ମଚାରୀ । ବାବା ପ୍ରେମ ତାଙ୍କୁ ଏପରି ଘାରିଛି ଯାହା ଟଙ୍କା ରୋଜଗାର କରୁଛନ୍ତି ବାବାଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି । ଏପରିକି ନିଜର ବ୍ୟାଙ୍କ ପାସବୁକ ଓ ଚେକ୍ ବସି ବାବାଙ୍କୁ ଅର୍ପଣ କରିଦେଇଛନ୍ତି । ତେବେ ତାଙ୍କର ଏପରି ବ୍ୟବହାରରେ ଅତିଷ୍ଠ ହୋଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।

ପାଗଳ କଲେ ବାବା । ଦିନରାତି ଏକାକାର କରି, ଘରଦ୍ୱାରା ଭୁଲି ବାବାଙ୍କ ନିକଟରେ ପଡ଼ିରହିଛନ୍ତି ବ୍ରହ୍ମପୁର ପଶୁ ଡାକ୍ତରଖାନାର ଚତୁର୍ଥ ଶ୍ରେଣୀର କର୍ମଚାରୀ ଯୋଗେଶ୍ୱର ବେହେରା । ଘର ବାଲେଶ୍ୱର ନୀଳଗିରିରେ । ପ୍ରାୟ ୨୦/୨୨ ଦିନ ପୂର୍ବରୁ ଯୋରନ୍ଦା ମଠରୁ ଜଣେ ବାବା ନୀଳଗିରି ଆସିଥିବା ବେଳେ ତାଙ୍କ ସହ ଯୋଗେଶ୍ୱରଙ୍କର ସାକ୍ଷାତ ହୋଇଥିଲା । ବାବାଙ୍କ ସହ ମିଶିବା ପରେ ଆଉ ଘରକୁ ଫେରିନଥିଲେ । ସବୁବେଳେ ମୁହଁରେ କେବଳ ବାବା ବାବା ବାବା । ବାବାଙ୍କ ପ୍ରେମରେ ଏମିତି ପାଗଳ ହେଲେ ଘଡ଼ିଏ ନଦେଖିଲେ ଅନ୍ଧପ୍ରାୟ ହୋଇଯାଉଛନ୍ତି । ଚାକିରି କଲେ ନିଜର ସମସ୍ତ ଟଙ୍କାରେ ଏକ ଆଶ୍ରମ କରି ବାବାଙ୍କୁ ରଖିବାକୁ ମନ ବଳାଇଛନ୍ତି ଯୋଗେଶ୍ୱର ।

ତେବେ ଯୋଗେଶ୍ୱର ଘରକୁ ନଫେରିବାକୁ ଅନେକ ଖୋଜାଖୋଜି ପରେ, ବାବାଙ୍କ ପାଖରେ ଅଛନ୍ତି ବୋଲି ପରିବାର ଲୋକ ଜାଣିବାକୁ ପାଇଲେ । ଆଉ ସେଠାରେ ପହଞ୍ଚିବା ପରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ । ଯୋଗେଶ୍ୱର ବାବାଙ୍କ ପ୍ରେମରେ ଏପରି ବଶୀଭୂତ ଥିଲେ ଯେ, ନିଜର ବ୍ୟାଙ୍କ୍ ପାସବୁକ୍ ଓ ଚେକ୍ ବହି ତାଙ୍କୁ ଦେଇଦେଇଥିଲେ । ବାବାଙ୍କ ମୁଣିରୁ ବାହାରିଲା ଯୋଗେଶ୍ୱରଙ୍କ ସମସ୍ତ ଦରକାରୀ କାଗଜପତ୍ର ।

ଯୋଗେଶ୍ୱରଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ତାଙ୍କ ପରିବାର । ବାବା ମନ୍ତ୍ରତନ୍ତ୍ର କରି ତାଙ୍କୁ ବଶୀଭୂତ କରି ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ । ତେବେ ନୀଳଗିରି ଥାନା ଆଇଆଇସିଙ୍କ ହସ୍ତକ୍ଷେପ କ୍ରମେ ବାବାଙ୍କୁ ଯୋରନ୍ଦା ପଠାଇବା ସହ ଯୋଗେଶ୍ୱରଙ୍କୁ ଘରକୁ ପଠାଇ ଦେଇଥିଲେ । ହେଲେ ଯୋଗେଶ୍ୱର ଘରେ ବେଶୀଦିନ ରହିବେ ନାହିଁ ବୋଲି ଘର ଲୋକ ଏବେ ବି ଚିନ୍ତାରେ । ଆଗକୁ ଯଦି ଯୋଗେଶ୍ୱର କିଛି ପାଗଳାମୀ କରନ୍ତି, ତେବେ ସେ ପସ୍ତେଇବେ ବୋଲି କହିଛନ୍ତି ତାଙ୍କ ପତ୍ନୀ ।