ନିର୍ବାଚନରେ ହାରିଗଲେ ବୋଲି…ଜେସିବି ଲଗାଇ ଖୋଳିଦେଲେ ଗାଁ ରାସ୍ତା ।

453

କନକ ବ୍ୟୁରୋ : ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ୨୦୨୧ ର ଫଳାଫଳ ଘୋଷିତ ହୋଇଥିବାବେଳେ ଅନେକ ସ୍ଥାନରୁ ହିଂସା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ନିର୍ବାଚନରେ ହାରିବା ପରେ ପ୍ରାର୍ଥୀମାନେ ଜନସାଧାରଣଙ୍କ ଉପରେ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ ହାରିବା ପରେ ଗାଁ ଲୋକଙ୍କ ଉପରେ ରାଗ ସୁଝାଇଦେଇଛନ୍ତି । ସରପଞ୍ଚ ପ୍ରାର୍ଥୀ ଜଣକ ନିର୍ବାଚନ ହାରିବା ପରେ ଗାଁ ରାସ୍ତାକୁ ଖୋଳି ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ତାଙ୍କ କାର୍ଯ୍ୟକାଳରେ ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ନିର୍ମାଣ କରାଯାଇଥିଲା, କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ସେ ପରାଜୟ ସହ୍ୟ କରିପାରିନଥିଲେ ଏବଂ ସମର୍ଥକଙ୍କ ସହ ମିଶି ଜେସିବି ଲଗାଇ ରାସ୍ତା ଖୋଳି ଦେଇଛନ୍ତି ।ଦୀପକ କୁମାର ତିୱାରୀ ବାରବାଙ୍କି ଜିଲ୍ଲାର ଅହିରାନ ସରିୟାନ ଗାଁର ସରପଞ୍ଚ ଥିଲେ ।

ଆଉ ଚଳିତ ପଂଚାୟତ ନିର୍ବାଚନରେ ଦୀପକ କୁମାର ମଧ୍ୟ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ନିର୍ବାଚନର ଫଳାଫଳ ତାଙ୍କ ସପକ୍ଷରେ ଆସିନଥିଲା । ନିକଟତମ ପ୍ରତିଦ୍ଵନ୍ଦୀଙ୍କଠାରୁ ସେ ହାରିଯାଇଥିଲେ । ଆଉ ଏଥିରେ ରାଗି ଯାଇ ଗାଁ ଲୋକ ଭୋଟ ନ ଦେଇଥିବାର ଅନୁମାନ କରି ତାଙ୍କ ସମର୍ଥକଙ୍କ ସହ ମିଶି ଗାଁ ରାସ୍ତାକୁ ଜେସିବି ଲଗାଇ ଖୋଳି ଦେଇଛନ୍ତି । ପୂର୍ବତନ ସରପଞ୍ଚ ଜଣକ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିର୍ମିତ ପ୍ରାୟ ୨୦୦ ମିଟର ରାସ୍ତାକୁ ଖୋଳି ଦେଇଛନ୍ତି। ଆଉ ଏହି ଘଟଣାକୁ ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ।