ବାହାହେବାକୁ କହି ସମ୍ପର୍କ ରଖିଲେ, ହେଲେ ଧୋକା ଦେଇ ଖସିଗଲେ ! ବଜାରରେ ଭାଇରାଲ ହେଲା ଏମଏମଏସ ।

48

କନକ ବ୍ୟୁରୋ : କୁହାଯାଏ, ପ୍ରେମ ଅନ୍ଧ, ପ୍ରେମ ଶାସ୍ୱତ ଓ ଚିରନ୍ତନ । ହେଲେ ଏହି ବିଶ୍ୱାସ ରଖି ଆଗକୁ ବଢିଥିବା ପ୍ରେମିକାକୁ ଯଦି ପ୍ରେମିକ ଧୋକ୍କା ଦିଏ, ତେବେ ପ୍ରେମର ସଂଜ୍ଞା ବଦଳି ଯାଏ । ଆଉ ଠିକ ଏଭଳି ଏକ କାହାଣୀ ବାସ୍ତବରେ ଦେଖିବାକୁ ମିଳିଛି । ପ୍ରେମରେ ଅନ୍ଧ ପ୍ରେମିକା ଆଜି ବାଟବଣା । ପ୍ରେମିକର ପ୍ରତାରଣାରେ ଭାଙ୍ଗିଯାଇଛନ୍ତି ପୀଡିତା । ଧୋକାବାଜ ପ୍ରେମିକର କଥା ରଖି ଘରୁ ବାହାରି ଆସିଥିବା ଯୁବତୀ ଆଜି ନ୍ୟାୟ ପାଇଁ ଥାନାରେ ପହଞ୍ଚିଛନ୍ତି । ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ପରେ ଏବେ ବିବାହ ପାଇଁ ମନା କରୁଛି ଧୋକାବାଜ ପ୍ରେମିକ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରତାରଣା କରିଛି । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲା ସମ୍ପୃକ୍ତ ପ୍ରେମିକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାରା ଜୀବନ ସାଥି ହୋଇ ଚାଲିବାକୁ କଥା ଦେଇଥିବା ପ୍ରେମିକ ଶେଷରେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୃର୍ତ୍ତକୁ ମୋବାଇଲରେ ରେକର୍ଡିଂ କରି ବ୍ଲାକମେଲିଂ କରୁଛି । ପ୍ରେମିକା ଜଣକ ବିବାହ କରିବାକୁ ଦାବି କଲେ ଭିଡିଓ ଭାଇରାଲ କରିବାର ଧମକ ଦେଉଛି ଅଭିଯୁକ୍ତ ପ୍ରେମିକ ଯାଜପୁର ଚଣ୍ଡିଖୋଲ ଅଞ୍ଚଳର ଦେବଦତ ଜେନା ।

ଭୁବନେଶ୍ୱରରେ ରହୁଥିବା ଦେବଦତ, ପ୍ରେମିକାକୁ ଧୋକ୍କା ଦେଇ ଅନ୍ୟତ୍ର ବିବାହ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ତେବେ ଏ ସମ୍ପର୍କରେ ଜାଣିବା ପରେ ପୀଡିତା ଜଣକ ମାନବାଧିକାର କର୍ମୀଙ୍କ ସହଯୋଗରେ ନ୍ୟାୟ ପାଇଁ ଯାଜପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ପରେ ପୀଡିତା ମହିଳାଜଣକ କହିଛନ୍ତି ଯେ, ସମ୍ପୃକ୍ତ ପ୍ରେମିକଙ୍କ ପାଇଁ ସେ ସମସ୍ତଙ୍କୁ ଛାଡିକି ଆସିଥିଲେ, ଏବେ ତାଙ୍କ ପାଖରେ କେହି ନାହାନ୍ତି । ସେ ଯେଉଁ ଭରସା ନେଇ ତାଙ୍କ ପ୍ରେମିକ ପାଖକୁ ଆସିଥିଲେ, ଏବେ ଶେଷ ମୁହୂର୍ତରେ ପ୍ରେମିକଜଣକ ତାଙ୍କ ହାତ ଛାଡି ଦେଲେ । ତେବେ ପୋଲିସ ଯୁବତୀଙ୍କ ଅଭିଯୋଗକୁ ଭିତ୍ତିି କରି ଏକ ମାମଲା ରୁଜୁ କରିଛି । ବଡଚଣା ଥାନା ଅଧିକାରୀ ଓ ଯାଜପୁର ରୋଡ ଏସଡିପିଓ ଏହି ଘଟଣା ତଦନ୍ତ କରୁଛନ୍ତି ।